Paytmକୁ ବଡ଼ ଝଟକା ! କମ୍ପାନିରୁ ୨ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କଲା ସଫ୍ଟବ୍ୟାଙ୍କ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ୍‌ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରଠାରୁ ସଙ୍କଟରେ ଗତି କରୁଛି ପେଟିଏମ। ଆଉ ଏହାରି ମଧ୍ୟରେ ଏବେ କମ୍ପାନିକୁ ଲାଗିଛି ଆଉ ଏକ ଝଟକା। ସଦ୍ୟ ରିପୋର୍ଟ ଅନୁଯାୟୀ, ଜାପାନର ନାମୀ ନିବେଶକାରୀ କମ୍ପାନି ସଫ୍ଟବ୍ୟାଙ୍କ୍ ଗ୍ରୁପ୍‌ କର୍ପୋରେସନ ପେଟିଏମରୁ ଏହାର ଅଂଶଧନ ପ୍ରତ୍ୟାହାର କରିଛି।

ରିପୋର୍ଟ ଅନୁଯାୟୀ, ସଫ୍ଟବ୍ୟାଙ୍କ୍‌ ପେଟିଏମରେ ଏହାର ୨.୧୭  ପ୍ରତିଶତ ଅଂଶଧନ ବାହାର କରିଛି। ସେପଟେ ଏହି ଖବର ପରେ ପେଟିଏମ ଶେୟାର ମୂଲ୍ୟ ୪ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ବର୍ତ୍ତମାନ ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ ୯୭ କମ୍ୟୁନିକେଶନର ଶେୟାର ୪.୩୮ ପ୍ରତିଶତର ହ୍ରାସ ସହ ୩୮୮.୪୦ ଟଙ୍କାରେ କାରବାର କରୁଛି।

ସୂଚନାଥାଉକି, ସଫ୍ଟବ୍ୟାଙ୍କ୍‌ର ସେପ୍ଟେମ୍ବର ୨୦୨୨ ସୁଦ୍ଧା ପେଟିଏମରେ ୧୭.୫ ପ୍ରତିଶତ ଅଂଶଧନ ଥିଲା। ହେଲେ ବର୍ତ୍ତମାନ କେବଳ ୨.୮୩ ପ୍ରତିଶତ ରହିଛି। ବଡ଼ କଥା ହେଉଛି ମାତ୍ର ଏକ ବର୍ଷ ମଧ୍ୟରେ ହିଁ କମ୍ପାନି ପେଟିଏମରୁ ଶେୟାର କାଢ଼ିନେଇଛି। ସେହିଭଳି ହାଥଓ୍ବେ ଏବଂ ଚୀନର ଅଲିବାବା ଗ୍ରୁପ୍‌ ଭଳି ବୈଶ୍ବିକ ନିବେଶକ ୨୦୨୩ରେ ସେମାନଙ୍କର କିଛି ଶେୟାର କାଢ଼ିଛନ୍ତି। ଏହା ସହ ଅନ୍ୟ କିଛି ଚୀନ କମ୍ପାନି ଏବଂ ନେଦରଲାଣ୍ଡ୍ସର କିଛି କମ୍ପାନି ମଧ୍ୟ ପେଟିଏମ୍‌ରୁ ଏହାର ଅଂଶଧନ କାଢ଼ିଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱର ଆରବତି ମହିଳାଙ୍କ ତାଲିକାରେ ପଞ୍ଚମରେ ଭାରତ; ସାବିତ୍ରୀ ଜିନ୍ଦଲ ଦେଶର ସବୁଠାରୁ ଧନୀ ମହିଳା

ଉଲ୍ଲେଖଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଜାନୁଆରୀ ୩୧ରେ ଜାରି ଆଦେଶ ପରେ ପେଟିଏମ ଶେୟାରକୁ ଅସୁବିଧାର ସାମ୍‌ନା କରିବାକୁ ପଡ଼ିଛି। ସେବେଠାରୁ କମ୍ପାନିର ଶେୟାରେ ୪୮.୫ ପ୍ରତିଶତ ଏବଂ ମୂଲ୍ୟରେ ପ୍ରାୟ ୨.୮ ବିଲିୟନ ଡଲାରର ହ୍ରାସ ଦେଖିବାକୁ ମିଳିଛି। ପେଟିଏମ ଉପରେ ଆରବିଆଇ, ଲଗାତାର ନିୟମର ଉଲ୍ଲଘଂନ କାରଣରୁ କାର୍ଯ୍ୟାନୁଷ୍ଠାନ ନେଇଥିଲା। କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ମାର୍ଚ୍ଚ ୧୫ ପରେ ପେମେଣ୍ଟ୍ସ ବ୍ୟାଙ୍କ୍ କୌଣସି ଗ୍ରାହକଙ୍କ ଠାରୁ ଜମା ତଥା ପେମେଣ୍ଟ୍ସ ବ୍ୟାଙ୍କ୍ ସହ ଜଡ଼ିତ ଅନେକ ସେବା ଉପରେ ପ୍ରତିବନ୍ଧକ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.