ସ୍ୱାଧୀନତା ପରେ ପ୍ରଥମ ଥର, ମୁସଲିମ୍ ମନ୍ତ୍ରୀଙ୍କ ବିନା ଭାରତ ସରକାର; ୫ ସଂଖ୍ୟାଲଘୁଙ୍କୁ ମନ୍ତ୍ରୀ ପଦ

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି । ରବିବାର ସେ ୭୨ ମନ୍ତ୍ରୀଙ୍କ ସହ ଶପଥ ନେଇଥିଲେ । କିନ୍ତୁ ଏହି ସମାରୋହ ପରଠୁ ମନ୍ତ୍ରିମଣ୍ଡଳରେ ଜଣେ ବି ମୁସଲମାନ ସଦସ୍ୟଙ୍କୁ ସ୍ଥାନ ମିଳିନଥିବାରୁ ଚର୍ଚ୍ଚ ଆରମ୍ଭ ହୋଇଛି । ୧୮ତମ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପିରୁ କୌଣସି ମୁସଲମାନ ସଦସ୍ୟଙ୍କୁ ବିଜୟ ମିଳିନଥିଲା, କିନ୍ତୁ ସରକାରର ସହଯୋଗୀଙ୍କ ପକ୍ଷରୁ ମଧ୍ୟ କୌଣସି ମୁସଲମାନ ନେତାଙ୍କ ନାଁର ପ୍ରସ୍ତାବ ଦିଆଯାଇ ନାହିଁ । ସ୍ୱାଧୀନତା ପରେ ଏହା ପ୍ରଥମ ଥର ଯେତେବେଳେ ଭାରତ ସରକାରରେ କୌଣସି ମୁସଲିମ୍ ମନ୍ତ୍ରୀ ନାହାନ୍ତି । 

ଏହା ପୂର୍ବର ଏନଡିଏ ସରକାରଙ୍କ କଥା ଯଦି କହିବା ତେବେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସୈୟଦ ଶାହନୱାଜ ହୁସେନଙ୍କୁ ମନ୍ତ୍ରୀ ରୂପେ ସାମିଲ କରାଯାଇଥିଲା । ଅନ୍ୟପଟେ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମୁଖତାର ଅବ୍ବାସ ନକଭୀ ମନ୍ତ୍ରୀ ଥିଲେ । ତାଙ୍କୁ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଥିଲା । ପରେ ସେ ୨୦୨୨ରେ ଇସ୍ତଫା ଦେଇଥିଲେ ଏବଂ ସ୍ମୃତି ଇରାନୀଙ୍କୁ ଏହି ଦାୟିତ୍ୱ ମିଳିଥିଲା । କିନ୍ତୁ ଏଥର କୌଣସି ବି ମୁସଲିମ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ, ଯାହା ଚର୍ଚ୍ଚାର ବିଷୟ ଅଟେ ।

ତେବେ ଆଉ ଏକ କଥା ହେଉଛି ମୋଦୀଙ୍କ ମନ୍ତ୍ରୀ ପରିଷଦରେ ଏଥର ମୋଟ ୫ ନେତା ସଂଖ୍ୟାଲୁଘ ସମୁଦାୟରୁ ଅଛନ୍ତି । ଏହି ନେତାଙ୍କ ମଧ୍ୟରେ ହରଦୀପ ସିଂ ପୁରୀ ଏବଂ ରବନୀତ ସିଂ ବିଟ୍ଟୁ, ଉଭୟ ଶିଖ୍ ସମୁଦାୟରୁ ଆସନ୍ତି । ତାଙ୍କ ବ୍ୟତୀତ ରାମଦାସ ଆଠୱଲେ ଏବଂ କିରେଣ ରିଜିଜୁ ବୌଦ୍ଧ ଧର୍ମରୁ ଆସୁଛନ୍ତି । ଅନ୍ୟପଟେ କେରଳରୁ ଆସୁଥିବା ଜର୍ଜ କୁରିୟନ୍ ଇସାଇ ସମୁଦାୟରୁ ଆସୁଛନ୍ତି । କୁହାଯାଉଛି ଯେ ପାର୍ଟି ଜର୍ଜ କୁରିୟନଙ୍କୁ ରାଜ୍ୟସଭା ଜରିଆରେ ସଂସଦଙ୍କୁ ପଠାଇବ । ସେ କେରଳ ବିଜେପିର ମହାସଚିବ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.