ବିଚାରରେ ରେକର୍ଡ଼ ,ମାତ୍ର ୪ ଦିନରେ ଶୁଣାଣି ଶେଷ : ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
4/03/2020 at 11:19 AM

ଦୁମକା ୪/୩: ୬ବର୍ଷର ଶିଶୁକୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ କୋର୍ଟ ୩ଦୋଷୀ ମିଠୁ ରାୟ(୨୬),ପଙ୍କଜ ମୋହଲି(୧୯) ଏବଂ ଅଶୋକ ରାୟ(୨୦)ଙ୍କୁ ଫାଶୀ ଦଣ୍ଡ ଶୁଣାଇଛି। ଶିଶୁଟିର ଛଦ୍ମନାମ ଲିଟିଲ ଆଞ୍ଜେଲ୍ ରଖାଯାଇଛି। ଲିଟିଲ୍ ଆଞ୍ଜେଲ୍ ନାଁରେ ଏହି କେସ୍ ଜଣାଯିବ। ଝାଡ଼ଖଣ୍ଡରେ ଏପରି ପ୍ରଥମ ମାମଲା ଆସିଛି ଯେଉଁଥିରେ କୋର୍ଟ ମାତ୍ର ୪ଦିନ ମଧ୍ୟରେ ବୟାନ ପୂରା କରିଥିଲେ ଏବଂ ଘଟଣାର ୨୮ଦିନ ମଧ୍ୟରେ ନିଷ୍ପତ୍ତି ଶୁଣାଇଥିଲେ।
ଦଣ୍ଡର ଶୁଣାଣି ସମୟରେ ଉଭୟ ପକ୍ଷ ଦଲିଲ ଶୁଣିବା ପରେ ବିଚାରପତି ପୀଡ଼ିତା ଶିଶୁର ବାପା-ମାଆଙ୍କୁ ଏବଂ ପରିବାର ଲୋକଙ୍କୁ ଓ୍ବିଟନେସ୍ ବକ୍ସକୁ ଡାକିଥିଲେ ଏବଂ ପଚାରିଥିଲେ – ଆପଣମାନେ କୁହନ୍ତୁ-କ’ଣ ଦଣ୍ଡ ଦିଆଯିବା ଉଚିତ୍। ଏଥିରେ ଶିଶୁଙ୍କ ମାଆ ଉତ୍ତର ଦେଇଥିଲେ- ମୃତ୍ୟୁ। ଏହା ପରେ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟ ୩ଦୋଷୀଙ୍କୁ ୩୦୨ ଏବଂ ୩୭୬ଡିବି ଅନୁସାରେ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହା ସହିତ ୫୦-୫୦ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ଏହା ବ୍ୟତୀତ ସାକ୍ଷୀ ଲୁଚାଇବା ଉଦ୍ୟମରେ ୭-୭ବର୍ଷର ଦଣ୍ଡ ଶୁଣାଇଥିଲା। ପକ୍ସୋ ଆକ୍ଟର ଧାରା ଅନୁସାରେ ୩ଜଣଙ୍କୁ ଆଜୀବନ କରାଦଣ୍ଡ ଏବଂ ୨୫-୨୫ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। କୋର୍ଟ ମଧ୍ୟ କହିଥିଲେ ଯେ ଏବେ ୩ଜଣଙ୍କ ମୃତ ଦେହ ହିଁ ଜେଲରୁ ବାହାରକୁ ବାହାରିବ।
ପୀଡ଼ିତା ଶିଶୁକୁ ତା’ର ସମ୍ପର୍କୀୟ ଦାଦା ମିଠୁ ରାୟ ଫେବୃୟାରୀ ୫ତାରିଖ ସନ୍ଧ୍ୟାରେ ସରସ୍ବତୀ ପୂଜାରେ ମେଳା ଦେଖାଇବାକୁ ନେଇ ଯାଇଥିଲା। ମେଳାରେ ଗୁପଚୁପ ଖାଇବା ପରେ ମିଠୁ ପୀଡ଼ିତାକୁ କ୍ଷେତକୁ ନେଇଯାଇଥିଲା। ସେଠାରେ ମିଠୁ ତା’ର ଦୁଇ ବନ୍ଧୁଙ୍କ ସହ ମିଶି ଶିଶୁକୁ ଦୁଷ୍କର୍ମ କରିଥିଲା। ଅପ୍ରାକୃତିକ ଯୌନାଚାର ପରେ ପୀଡ଼ିତା ଶିଶୁର ଗଳା ଚିପି ହତ୍ୟା କରାଯାଇଥିଲା। ଫେବୃୟାରୀ ୭ତାରିଖରେ କ୍ଷେତରୁ ଶବ ମିଳିବା ପରେ ଘଟଣା ବିଷୟରେ ଜଣା ପଡ଼ିଥିଲା। ଘଟଣା ଘଟାଇବା ପରେ ମିଠୁ ରାୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ୍ ମୋବାଇଲ୍ ଲୋକେସନ୍ ଆଧାରରେ ଫେବୃୟାରୀ ୧୧ତାରିଖରେ ମିଠୁକୁ ଥାନେ ପୋଲିସ୍ ସହାୟତାରେ କଲ୍ୟାଣ ପୋଲିସ ଷ୍ଟେସନରୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଅଶୋକ ଏବଂ ପଙ୍କଜକୁ ଗୋଡ୍ଡା ଜିଲ୍ଲାର ପୌଡ଼େୟାହାଟରୁ ଗିରଫ କରାଯାଇଥିଲା।