‘୩୦୦ ବର୍ଷରେ ୭୪% ବାତ୍ୟା ବଙ୍ଗୋପସାଗରରୁ ସୃଷ୍ଟି; ୫୮% ଭାରତ ତଟରେ ତଣ୍ଡାବ ରଚିଛି’

Published By : Prameya-News7 Bureau | November 08, 2024 IST

ଭୁବନେଶ୍ୱର: ବଙ୍ଗୋପସାଗରରୁ ସୃଷ୍ଟି ହେଉଥିବା ଅଧିକାଂଶ ସାମୁଦ୍ରିକ ବାତ୍ୟା ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଥାଏ । ବିଶେଷ କରି ଏହା ଓଡ଼ିଶାରେ ବହୁମାତ୍ରାରେ ଧନଜୀବନ ନଷ୍ଟ କରିଥାଏ । ପାଣିପାଗ ବିଜ୍ଞାନୀଙ୍କ ପରିସଂଖ୍ୟନରୁ ଜଣାପଡ଼ିଛି, ୧୮୯୧ରୁ ୧୯୯୪ ମଧ୍ୟରେ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ୫୮ ପ୍ରତିଶତ ବାତ୍ୟା ଭାରତୀୟ ତଟବର୍ତ୍ତୀ ଅଞ୍ଚଳରେ ତାଣ୍ଡବଲୀଳା ରଚିଥିବା ବେଳେ ମାତ୍ର ୧୫.୫ ପ୍ରତିଶତ ବାଂଲାଦେଶ ମୁହାଁ ହୋଇଛି । ସେହିପରି ୭.୫ ପ୍ରତିଶତ ମିଆଁମାର ଏବଂ ୧ ପ୍ରତିଶତ ଶ୍ରୀଲଙ୍କାକୁ ପ୍ରଭାବିତ କରିଛି । ୧୮ ପ୍ରତିଶତ ସାମୁଦ୍ରିକ ଝଡ଼ ସମୁଦ୍ରରେ ହିଁ ପ୍ରକୋପ ଦେଖାଇ ଦୁର୍ବଳ ହୋଇଯାଇଛି ବୋଲି ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି କହିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ୧୫୦ବର୍ଷ ପୂର୍ତ୍ତୀ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍‌ ମେଟିଓରୋଲଜିକାଲ୍‌ ସୋସାଇଟ୍ ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇ ଏଭଳି କିଛି କହିଛନ୍ତି ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି । 

ପ୍ରଫେସର ମହାନ୍ତି କହିଛନ୍ତି, ୧୯୦୧ରୁ ୨୦୦୧ ମସିହା ମଧ୍ୟରେ ଓଡ଼ିଶା ୧୦୦ରୁ ଅଧିକ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଛି । ଯାହାର ସଂଖ୍ୟା ସମସ୍ତ ତଟୀୟ ପ୍ରଦେଶମାନଙ୍କ ଠାରୁ ଅଧିକ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ବୋଲି ସେ କହିଥିଲେ । ପ୍ରଫେସର ଉମା ଚରଣ ମହାନ୍ତି ବର୍ତ୍ତମାନ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍‌ ସ୍ମାର୍ଟ ଏଗ୍ରିକଲ୍‌ଚର ଠାରେ ଡିଷ୍ଟିଙ୍ଗୁଇସ୍‌ଡ୍‌ ପ୍ରଫେସର ଭାବେ କାର୍ଯ୍ୟ କରୁଛିନ୍ତି ।

ଭର୍ଚୁଆଲରେ ଆୟୋଜିତ ଏହି ବକ୍ତୃତା କାର୍ଯ୍ୟକ୍ରମରେ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚୀବ ଡ.ଏମ୍‌. ରବିଚନ୍ଦ୍ରନ୍‌ ଯୋଗ ଦେଇଥିଲେ । ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସ୍ୱାଗତ ଭାଷଣ ଦେଇଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ତଥା ଅନେକ ପାଣିପାଗ ବିଶେଷଜ୍ଞଗବେଷକ ଓ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ । 

ପ୍ରଫେସର ମହାନ୍ତି କହିଛନ୍ତି, ଗତ ୩୦୦ ବର୍ଷ ମଧ୍ୟରେ ବିଶ୍ବକୁ ଡରାଇଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୭୪ ପ୍ରତିଶତ ବଙ୍ଗୋପସାଗରରୁ ସୃଷ୍ଟି ହୋଇଛି । ୧୯୭୦ରେ ବାଂଲାଦେଶ ତାଣ୍ଡବ ରଚିଥିଲା ବାତ୍ୟା ଭୋଳା । ଏଥିରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଅତ୍ୟଧିକ ଧ୍ବଂସଲୀଳା ରଚୁଥିବା କ୍ୟାଟେଗୋରୀ ୪ ଓ ୫ ବାତ୍ୟାର ସଂଖ୍ୟା ୧୯୭୦ ପରଠାରୁ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ବାତ୍ୟା ବିଷୟରେ ଆଗୁଆ ତଥ୍ୟ ପ୍ରଦାନ କରିବାରେ ଗତ ୧୭ ବର୍ଷ ମଧ୍ୟରେ ଅନେକ ଉନ୍ନତି ଘଟିଛି । ଯାହାଫଳରେ ସରକାର ଓ ଜନସାଧାରଣ ଠିକ୍‌ ସମୟରେ ବାତ୍ୟା ବିଷୟରେ ତଥ୍ୟ ପାଇପାରୁଛନ୍ତି । 

୧୯୯୯ ମସିହାରେ ମହାବାତ୍ୟାର ବିଭୀଷିକା ପରେ ଓଡ଼ିଶା ସରକାର ଏହାର ପ୍ରତିକାର ନିମନ୍ତେ ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ଗଠନ କରିଥିଲେ । ଯାହାକି ଦେଶର ପ୍ରଥମ ଏପରି ସଂସ୍ଥା ଅଟେ । ଏହାପରେ ୨୦୦୫ ମସିହାରେ ଭାରତ ସରକାର ନ୍ୟାସ୍‌ନାଲ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟିର ଗଠନ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.