ନୂଆଦିଲ୍ଲୀ,୨୧।୭: ୨୦୨୦ରେ କରୋନା ମହାମାରୀର ପ୍ରଥମ ଲହରୀରେ ଭାରତରେ ୧୨ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଯାହାକି ଭାରତ ସରକାର ଦେଇଥିବା ମୃତ୍ୟୁସଂଖ୍ୟାର ୮ ଗୁଣ ଅଧିକ । କାତାରର ମିଡିଆ ହାଉସ୍ ଅଲ୍ଜଜିରା ୧୦ ବଡ ଡେମୋଗ୍ରାଫର ଓ ଅଥର୍ନୀତିଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହା ପ୍ରକାଶ କରିଛି । ଭାରତ ସରକାର ୨୦୨୦ରେ କରୋନାରେ ୧ ଲକ୍ଷ ୪୮ ହଜାର ଲୋକ ପ୍ରାଣହରାଇଥିବା ଦର୍ଶାଇଥିଲେ । କୋଭିଡର ଏହି ନୂଆ ମୃତ୍ୟୁ ରିପୋର୍ଟ ସାଇନ୍ସ ଆଡଭାନ୍ସେସ୍ ପତ୍ରିକାରେ ପ୍ରକାଶ ପାଇଛି । ଯାହାକି ଭାରତ ସରକାରଙ୍କ ୨୦୧୯-୨୧ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଆଧରରେ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଦିଅଯାଇଥିବା ମୃତ୍ୟୁସଂଖ୍ୟା ଜାତିସଂଘ ପୂର୍ବରୁ ଦେଇଥିବା ସଂଖ୍ୟା ଠାରୁ ଦେଢ଼ ଗୁଣା ଅଧିକ ।
ରିପୋର୍ଟରେ କୁହାଯାଇଛି, ୨୦୨୦ରେ ହିନ୍ଦୁଙ୍କ ଆୟୁଷ ୧.୩ ବର୍ଷ ହ୍ରାସ ପାଇଥିଲା ବେଳେ ଅନୁସୂଚୀତ ଜାତିଙ୍କ ଆୟୁଷ ୨.୭ ବର୍ଷ କମିଥିଲା । ସେହିଭଳି ମୁସଲିମଙ୍କ ଆୟୁଷ ପୂର୍ବାପେକ୍ଷା ୫.୪ ବର୍ଷ ହ୍ରାସ ପାଇଥିଲା । କରୋନା ଯୋଗୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କରୋନା ଯୋଗୁ ପୁରୁଷଙ୍କ ଆୟୁଷ ୨.୧ ବର୍ଷ କମିଥିବା ବେଳେ ମହିଳାଙ୍କ ଆୟୁଷ ୩ ବର୍ଷ ହ୍ରାସ ପାଇଛି ।
ସରକାରୀ ରିପୋର୍ଟ ଅନୁସାରେ ୨୦୨୦ରେ ଆସିଥିବା କରୋନାର ପ୍ରଥମ ଲହରୀ ଏବଂ ୨୦୨୧ରେ ଡେଲାଟା ଭାରିଆଣ୍ଟ ଆଣିଥିବା ଦ୍ୱିତୀୟ ଲହରୀ ଯୋଗୁ ଭାରତରେ ମୋଟ୍ ୪.୮୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାର ସଦ୍ୟତମ କୋଭିଡ ମୃତ୍ୟୁ ରିପୋର୍ଟକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏହି ରିପୋର୍ଟ ଅସମର୍ଥିତ ତଥା ଅଗ୍ରହଣୀୟ । ଭୁଲ୍ ତଥ୍ୟ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି ।