ୱାସିଂଟନ ୪।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ମହାମାରୀ ସମାପ୍ତ ହେବା ପର୍ଯ୍ୟନ୍ତ ଦେଶର ଋଣ ବାବଦ ଦେୟ ଅସୁଲ ନ କରିବା ଲାଗି ଅନ୍ତର୍ଜାତୀୟ ସମୂଦାୟଙ୍କୁ ନିବେଦନ କରିଛନ୍ତି। କେବଳ ଏତିକି ନୁହେଁ ସ୍ୱଳ୍ପ ବିକଶିତ ପାକିସ୍ତାନର ଉଧାର କ୍ଷମା କରିଦିଆଯାଉ ବୋଲି ମଧ୍ୟ ନିବେଦନ କରିଛନ୍ତି। ପ୍ରଥମରୁ ନଗଦ ସଂକଟଗ୍ରସ୍ତ ପାକିସ୍ତାନର କରୋନାରେ ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଥିବା ସେ କହିଛନ୍ତି।
ଡନ ଖବର କାଗଜ ଅନୁସାରେ ପାକିସ୍ତାନ ଗୁରୁବାର କୋଭିଡ-୧୯ ଲାଗି ଅନୁଷ୍ଠିତ ମିଳିତ ଜାତି ସଂଘ ସ୍ୱତନ୍ତ୍ର ଅଧିବେଶନରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଲାଗି ୧୦ ସୂତ୍ରୀ ଦାବି ଉପସ୍ଥାପିତ କରିଥିଲା। ପ୍ରସ୍ତାବରେ ପାକିସ୍ତାନ ସେହି ସବୁ ଦାବି ଉପରେ ଜୋର ଦେଇଥିଲା ଯେଉଁ ସବୁ ଦାବି ବୈଶ୍ୱିକ ସମୂଦାୟ ପୂରଣ କରିପାରିବେ। ଯେଉଁଥିରେ ସେ ସର୍ବ ପ୍ରଥମେ କରୋନା ସମାପ୍ତ ହେବା ପର୍ଯ୍ୟନ୍ତ ଋଣ ବାବଦ ଦେୟ ପୈଠ ନିଲମ୍ବନ ଲାଗି ନିବେଦନ କରିଛି।
ସେହିପରି ଦ୍ୱିତୀୟ ଦାବିରେ ସ୍ୱଳ୍ପ ବିକଶିତ ଦେଶ ହୋଇଥିବାରୁ ଋଣ ପୈଠ କରିବାରେ ଅସମର୍ଥ ହେଉଥିବା କହିଥିଲା। ଏଣୁ ଋଣ କ୍ଷମାଲାଗି ନିବେଦନ କରିଛି। ଅନ୍ୟ ପ୍ରସ୍ତାବରେ ମଲ୍ଟିଲାଟେରାଲ ଫ୍ରେମୱାର୍କରେ ବିକାଶଶୀଳ ଦେଶଙ୍କ ସାର୍ବଜନିକ କ୍ଷେତ୍ରର ଋଣ ପୁନର୍ଗଠନର ଦାବି ମଧ୍ୟ ରଖିଛି। ଜାତିସଂଘ ସ୍ୱତନ୍ତ୍ର ଅଧିବେଶନ ପ୍ରଥମଥ ଡିଜିଟାଲ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶତାଧିକ ବୈଶ୍ୱିକ ନେତା ଓ ଅନେକ ମନ୍ତ୍ରୀ ଯୋଗଦେଇଥିଲେ। ଯେଉଁଥିରେ ବିଶ୍ୱଯୁଦ୍ଧ ବାଦେ କରୋନାଭାଇରସ ମହାମାରୀକୁ ସବୁଠୁ ଗୁରୁତର ବୈଶ୍ୱିକ ସଂକଟ ବୋଲି କୁହାଯାଇଛି।