ଇମ୍ରାନ ଖାନ୍‌ ସରକାରଙ୍କ ମୁସ୍କିଲ୍‌ ବଢ଼ିଲା, ପୁଣି ଥରେ FATFର ଗ୍ରେ ଲିଷ୍ଟରେ ପାକିସ୍ତାନ

Published By : Prameya-News7 Bureau | October 21, 2021 IST

ଇସ୍ଲାମାବାଦ ୨୧/୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ନନେବା ଯୋଗୁଁ ପାକିସ୍ତାନକୁ ପୁଣି ଥରେ ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟରେ ରହିବାକୁ ପଡ଼ିବ ।ପାକିସ୍ତାନ ଆକ୍ସନ ପ୍ଲାନର ୩୪ରୁ ୪ଟି ଦିଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ପାକିସ୍ତାନ ବ୍ୟତୀତ ଏହାର ଆତଙ୍କବାଦ ସମର୍ଥକ ମିତ୍ର ତୁର୍କୀ ମଧ୍ୟ ଏଫଏଟିଏଫର ଗ୍ରେ ଲିଷ୍ଟରେ ସାମିଲ ହୋଇଛି।

ଏଫଏଟିଏଫର ତିନି ଦିବସୀୟ ବୈଠକ ଅକ୍ଟୋବର ୧୯-୨୧ରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପାକିସ୍ତାନକୁ ପୁଣି ଥରେ ଗ୍ରେ ଲିଷ୍ଟରେ ରଖାଯାଇଛି। ପାକିସ୍ତାନ ଏବେ ଏପ୍ରିଲ ୨୦୨୨ରେ ହେବାକୁ ଥିବା ଏଫଏଟିଏଫର ଆଗାମୀ ବୈଠକ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରହିବ। ଚଳିତବର୍ଷ ଜୁନ୍‌ରେ ମନି ଲଣ୍ଡରିଂ ମାମଲାରେ ଯାଞ୍ଚରେ ବିଫଳ ହୋଇଥିବାରୁ ଏଫଏଟିଏଫ ଏହାକୁ ‘ଗ୍ରେ ଲିଷ୍ଟ’ରେ ରଖିଥିଲା।

ହାଫିଜ୍‌ ସୟଦ, ମସୁଦ ଆଝାର ସମେତ ଜାତିସଙ୍ଘର ଲିଷ୍ଟରେ ସାମିଲ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସ୍ଥା ପକ୍ଷରୁ ଇସ୍ଲାମାବାଦକୁ କୁହାଯାଇଥିଲା। ପାକିସ୍ତାନ ଜୁନ୍‌ ୨୦୧୮ରୁ ଗ୍ରେ ଲିଷ୍ଟରୁ ମୁକୁଳି ପାରୁନରାହିଁ।

ଗ୍ରେ ଲିଷ୍ଟରେ ପୁଣି ଥରେ ରହିଥିବାରୁ ପାକିସ୍ତାନକୁ ଆଇଏମଏଫ, ବିଶ୍ବ ବ୍ୟାଙ୍କ, ଏସିଆ ବିକାଶ ବ୍ୟାଙ୍କ ଆଦିରୁ ଆର୍ଥିକ ସହାୟତା ଆଣିବାରେ ଅସୁବିଧା ହେବ। ପାକିସ୍ତାନ ଏବେ ଯାଏଁ ଚୀନ, ତୁର୍କୀ ଏବଂ ମାଲେସିଆ ସହାୟତାରେ ବ୍ଲାକ୍‌ ଲିଷ୍ଟରେ ସାମିଲ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.