ଇସଲାମାବାଦ: ୪ ସେନା ଯବାନ ଓ ୬ ସାଧାରଣ ଲୋକ, ମୋଟ ୧୦ ଜଣଙ୍କ ମୃତ୍ୟୁ ପରେ ଥମିଲା ପାକିସ୍ତାନରେ ଆନ୍ଦୋଳନ। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଆନ୍ଦୋଳନ ବନ୍ଦ କରିଛନ୍ତି। ଜେଲ୍ରୁ ଇମ୍ରାନଙ୍କ ମୁକ୍ତି ଦାବିରେ ତାଙ୍କ ସମର୍ଥକମାନେ ଇସଲାମାବାଦରେ ବିରୋଧ ପ୍ରଦର୍ଶନ କରୁଥିଲେ। ହେଲେ ବୁଧବାର ମଧ୍ୟରାତ୍ରୀରେ ପାକିସ୍ତାନ ସୁରକ୍ଷାକର୍ମୀ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଫଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୁରକ୍ଷା କର୍ମିମାନେ ପ୍ରଦର୍ଶନକାରୀଙ୍କୁ ଉଠାଇ ନେବା ପରେ ଇମ୍ରାନ ଖାନଙ୍କ ଦଳ ତେହରିକ-ଇ-ଇନସାଫ(ପିଟିଆଇ) ଆନ୍ଦୋଳନ ବନ୍ଦ କରିବାକୁ ସମର୍ଥକଙ୍କମାନଙ୍କୁ ଆହ୍ୱାନ ଦେଇଥିଲା। ଏହାପରେ ଆନ୍ଦୋଳନ ସ୍ଥଗିତ ରହିଛି। ହେଲେ ଏହା ପୂର୍ବରୁ ଆନ୍ଦୋଳନ ହିଂସା ରୂପ ନେବାରୁ ମୋଟ ୧୦ଙ୍କ ଜୀବନ ଯାଇଛି। ଏଥିରେ ଇମ୍ରାନଙ୍କ ୪ ସମର୍ଥକଙ୍କ ମୃତ୍ୟୁ ହୋଇଛି।
ପିଟିଆଇର ପ୍ରଦର୍ଶନକାରୀମାନେ ଇସଲାମାବାଦର ଡି-ଛକଠାରେ ପହଞ୍ଚିବା ପରେ ଉଭୟ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀମାନେ ଯବାନଙ୍କ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ଏଥିରେ ୪ ଯବାନ ସହିଦ ହୋଇଥିବା ଇଣ୍ଟରିୟର ମନ୍ତ୍ରୀ ମୋହସୀନ ନାକଭି ସୂଚନା ଦେଇଛନ୍ତି। ସେପଟେ ପିଟିଆଇ କହିଛି, ସୁରକ୍ଷା କର୍ମୀ ପ୍ରଥମେ ଆମ ସମର୍ଥକଙ୍କୁ ଗୁଳି କରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ଇସଲାମାବାଦରେ ତେହରିକ-ଇ-ଇନସାଫର ପ୍ରଦର୍ଶନକାରିମାନେ ମଙ୍ଗଳବାର ରେଞ୍ଜର ଓ ପୋଲିସ ଅଫିସରମାନଙ୍କ ଉପରେ ଆକ୍ରମଣ କରିବା ପାକିସ୍ତାନ ସରକାର ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଆକ୍ରମଣକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିର୍ଦ୍ଦେଶ ଦେବା ସହିତ ଆହତ ପୋଲିସ ଓ ରେଞ୍ଜରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ।
ଏଥିସହିତ ଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଦେଶରେ ଅଯଥା ବିଶୃଙ୍ଖଳା ସୃଷ୍ଟି ପାଇଁ ଆନ୍ଦୋଳନ କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ରକ୍ତପାତକୁ ପାକିସ୍ତାନ କେବେ ଗ୍ରହଣ କରିବ ନାହିଁ। ଏମାନେ କେଉଁ ଉଗ୍ରବାଦୀ ଠାରୁ କମ ନୁହଁନ୍ତି ବୋଲି ଶେହବାଜ ସରିଫ କହିଛନ୍ତି।
ସୂଚନା ଥାଉକି, ଖୈବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଅଲ୍ଲୀ ଅମୀନ ଗନ୍ଦପୁରଙ୍କ ନେତୃତ୍ବରେ ଇମ୍ରାନଙ୍କ ସମର୍ଥକମାନେ ବୁଧବାର ଇସଲାମାବାଦରେ ପହଞ୍ଚିଥିଲେ। ଅଲ୍ଲୀ ଅମୀନଙ୍କ ନେତୃତ୍ୱରେ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ତାଙ୍କ ସମର୍ଥକମାନେ କର ବା ମର ପ୍ରଦର୍ଶନ ଜାରି ରଖିଥିଲେ।