ବିବାହ କଲେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ, ସ୍ୱାମୀଙ୍କ ସହ ସୋସିଆଲ ମିଡିଆରେ ସେୟାର କଲେ ଫଟୋ
23/12/2022 at 4:09 PM

ୱାସିଂଟନ ୨୩।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ ଖାନ ତୃତୀୟବାର ବିବାହ କରିଛନ୍ତି। ସେ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ମିର୍ଜା ବିଲାଲ। ରେହେମ ୨୦୧୫ ମସିହାରେ ଇମ୍ରାନଙ୍କଠାରୁ ତଲାକ ନେଇଥିଲେ। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ବିଲାଲ ଜଣେ ପାକିସ୍ତାନୀ ଓ ସେ ଏବେ ଆମେରିକାରେ ରହୁଛନ୍ତି।
ବିଲାଲଙ୍କ ବୟସ ୩୬ ବର୍ଷ ଓ ପୂର୍ବରୁ ପେଷାରେ ମଡେଲ ଥିଲେ ଏବେ କର୍ପୋରେଟ ଜଗତ ସହ ତାଙ୍କର ସମ୍ପର୍କ ରହିଛି। ରେହମ ଖାନଙ୍କ ପରି ବିଲାଲ ମଧ୍ୟ ପୂର୍ବରୁ ଦୁଇଟି ବିବାହ କରିଥିଲେ ଓ ଏଥିରୁ ତାଙ୍କର ପୁଅଟିଏ ମଧ୍ୟ ଅଛି। ରେହେମ ଓ ମିର୍ଜା ବିଲାଲ ଆମେରିକାରେ ଏକ ନିରାଡମ୍ବର ଉତ୍ସବରେ ବିବାହ କରିଛନ୍ତି। ଏହି ବିବାହର ଫଟୋ ରେହମ ଖାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
Finally found a man who I can trust @MirzaBilal__ pic.twitter.com/nx7pnXZpO6
— Reham Khan (@RehamKhan1) December 23, 2022
ରେହମ ଖାନ ଟ୍ୱିଟରରେ ମିର୍ଜା ବିଲାଲଙ୍କ ସହ ଫଟୋ ସେୟାର କରି ବିବାହ କରିଥିବାର ସୂଚନା ଦେଇଛନ୍ତି। ରେହମ ଫଟୋ ସେୟାର କରି କ୍ୟାପସନ୍ରେ ମୋତେ ଶେଷରେ ସେହି ମଣିଷ ମିଳିଯାଇଛି ଯାହାଙ୍କ ଉପରେ ମୁଁ ଭରସା କରିପାରିବି ବୋଲି ଉଲ୍ଲେଖ କରିଛନ୍ତି। ରେହମ ଖାନଙ୍କ ପ୍ରଥମ ବିବାହ ଇଜାଜ ରହେମାନଙ୍କ ସହ ହୋଇଥିଲା। ତେବେ ସେମାନଙ୍କ ବିବାହ ବେଶି ଦିନ ଚଳିପାରିନଥିଲା। ୨୦୦୫ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।
୨୦୧୪ ମସିହାରେ ରେହମ ଇମ୍ରାନ ଖାନଙ୍କ ସହ ନିକା କରିଥିଲେ। ସେତେବେଳେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୋଇ ନଥିଲେ। ତେବେ ତାଙ୍କ ରାଜନୈତିକ ଦଳ ପିଟିଆଇର ମୁଖିଆ ଥିଲେ। ହେଲେ ରେହମଙ୍କ ଏହି ବିବାହ ବେଶିଦିନ ତିଷ୍ଠିପାରି ନଥିଲା। ୨୦୧୫ ମସିହାରେ ଇମ୍ରାନ ଓ ରେହମଙ୍କ ବିବାହ ବିଚ୍ଛେଦ ହୋଇଥିଲା। ରେହମଙ୍କ ଦୁଇଟି ବିବାହ ସମ୍ପୂ୍ର୍ଣ୍ଣ ବିଫଳ ହେବା ପରେ ବି ସେ ଆଶା ହରାଇ ନଥିଲେ। ଏଣୁ ଦୁଇଥର ବିବାହ ପରେ ବି ସେ ପୁଣି ବିବାହ କରିବେନି ବୋଲି କେବେ କହିନଥିଲେ। ଗତ ଜୁଲାଇ ମାସରେ ଏକ ପାକିସ୍ତାନୀ ୟୁ ଟ୍ୟୁବ୍ ଚାନେଲରେ ରେହମ ପୁଣି ବିବାହ ଲାଗି ପ୍ରସ୍ତୁତ ବୋଲି କହିଥିଲେ।

ରେହମ ଖାନଙ୍କ ଜନ୍ମ ୩ ଏପ୍ରିଲ ୧୯୭୩ରେ ଲିବ୍ୟାରେ ହୋଇଥିଲା। ୪୯ ବର୍ଷ ବୟସ୍କା ରେହମ ପେଷାରେ ଜଣେ ସାମ୍ବାଦିକ ସହ କମେଣ୍ଟେଟର ମଧ୍ୟ। ଏହା ଛଡା ସେ ଜଣେ ପ୍ରତିଷ୍ଠିତ ଲେଖିକା ଓ ଚିଳଚିତ୍ର ନିର୍ମାତ୍ରୀ ମଧ୍ୟ। ସେ ୨୦୦୬ ମସିହାରେ ଜଣେ ଟିଭି ଉପସ୍ଥାପିକା ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଳେ ବର୍ଷକ ପରେ ବ୍ରିଟେନ ସନସାଇନ ରେଡିଓ ଷ୍ଟେସନରେ ଯୋଗ ଦେଇଥିଲେ। ୨୦୦୮ ମସିହାରେ ସେ ବିବିସିରେ ଯୋଗ ଦେଇଥିବା ବେଳେ ୨୦୧୫ ମସିହାରେ ଡନ ନ୍ୟୁଜ୍ ସହିତ ଦି ରେହମ ଖାନ ଶୋ ମଧ୍ୟ ଆରମ୍ଭ କରିଥିଲେ।