ପାକିସ୍ତାନର ସ୍ଥିତି ଶୋଚନୀୟ, ମାନିଲେ ଇମ୍ରାନ ଖାନ୍‌, କହିଲେ- ଦେଶ ଚଳାଇବାକୁ ଟଙ୍କା ନାହିଁ

Published By : Prameya-News7 Bureau | November 24, 2021 IST

ଇସ୍ଲାମାବାଦ ୨୪/୧୧: ପାକିସ୍ତାନର ହାଲ ବେହାଲ ହୋଇପଡ଼ିଥିବା ନେଇ ଖୋଦ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମାନିଛନ୍ତି । ବିଦେଶୀ ଋଣ ଏବେ ଦେଶର ସୁରକ୍ଷା ପ୍ରସଙ୍ଗରେ ପରିଣତ ହୋଇଛି । ଏପରିକି ଦେଶରେ ଜନ କଲ୍ୟାଣକାରୀ ଯୋଜନା କରିବାକୁ ପର୍ଯ୍ୟାପ୍ତ ଅର୍ଥ ନଥିବା କହିଛନ୍ତି ଇମ୍ରାନ୍‌ ଖାନ। ଇସ୍ଲାମାବାଦରେ ଚୀନ ଉଦ୍ୟୋଗ ଟିଟିଏସ୍‌ର ଉଦଘାଟନ ସମାରୋହରେ ସେ କହିଛନ୍ତି, ‘ଆମର ସବୁଠୁ ବଡ଼ ଅସୁବିଧା ହେଉଛି ଦେଶକୁ ଚଳାଇବା ପାଇଁ ଟଙ୍କା ନାହିଁ। ଯେଉଁଥିପାଇଁ ଆମକୁ ଋଣ ନେବାକୁ ପଡ଼ୁଛି।’

ଏହା ସହ ସଂଶାଧନର ଅଭାବ ଥିବାରୁ ଜନ କଲ୍ୟାଣରେ ଟଙ୍କା ଖର୍ଚ୍ଚ କରିବା ମୁସ୍କିଲ ହୋଇଛି । ବିଦେଶୀ ଋଣ  ବଢ଼ୁଥିବା ବେଳେ କମ୍‌ ରାଜସ୍ବ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ଭାବେ ଛିଡ଼ା ହୋଇଛି ବୋଲି ଇମ୍ରାନ୍‌ ଖାନ କହିଛନ୍ତି। ୨୦୦୯-୨୦୧୮ ପର୍ଯ୍ୟନ୍ତ ଗତ ଦୁଇ ସରକାରକୁ ଅଧିକ ଋଣ କରିଥିବା ହେତୁ ଇମ୍ରାନ ଖାନ୍‌ ଜୋରଦାର ସମାଲୋଚନା କରିଛନ୍ତି। ଏବେ ପାକିସ୍ତାନ କେବଳ ଋଣ ସିଝିଲେ ହିଁ ଋଣ ମୁକ୍ତ ହୋଇପାରିବ ବୋଲି କହିବା ସହ ରାଜସ୍ବ ବଢ଼ାଇବା ପାଇଁ କାର୍ଯ୍ୟ କରୁଥିବା ଏଫବିଆରକୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଏହା ପୂର୍ବରୁ ଆର୍ଥିକ ପରାମର୍ଶଦାତା ଶୌକତ ତାରିନ୍‌ କହିଥିଲେ , ପାକିସ୍ତାନରେ ୨୨୦ ମିଲିୟନ୍‌ ଲୋକସଂଖ୍ୟା ମଧ୍ୟରେ କେବଳ ୩୦ ଲକ୍ଷ ଲୋକ କର ଦେଉଛନ୍ତି। ସରକାର କେବଳ ଅନ୍ୟ ୧୫ ଲକ୍ଷ କରଦାତାଙ୍କ ଚିହ୍ନଟ କରି ତାଙ୍କୁ ଟ୍ୟାକ୍ସ ଦେବାକୁ ନିର୍ଦେଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.