ବୁଲେଟପ୍ରୁଫ୍ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
26/03/2023 at 10:19 AM

ନୂଆଦିଲ୍ଳୀ, ୨୬/୦୩: ପାକିସ୍ତାନର ଆର୍ଥିକ ସଙ୍କଟ କଥା ସମସ୍ତଙ୍କୁ ଜଣା। ଖାଲି ଆର୍ଥିକ ସଙ୍କଟ ନୁହେଁ ଦେଶରେ ରାଜନୀତିକ ସ୍ଥିତି ମଧ୍ୟ ଖୁବ୍ ସମ୍ବେଦନଶୀଳ ରହିଛି। ଯେବେଠାରୁ ପାକିସ୍ତାନରେ ଦରବୃଦ୍ଧି ଆକାଶ ଛୁଆଁ ହୋଇଛି ଲୋକେ ଶହବାଜ ସରକାରଙ୍କୁ ଦୋଷ ଦେଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଇମରାନଙ୍କ ରାଲିରେ ସମର୍ଥକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏମିତିରେ ପାକିସ୍ତାନ ସରକାରଙ୍କୁ ସତ୍ତା ଭୟ ଘାରିଛି। ଏହାରି ମଧ୍ୟରେ ଲାହୋରର ମୀନାର-ଏ-ପାକିସ୍ତାନ ମୈଦାନରେ ପିଟିଆଇ ମୁଖ୍ୟ ରାଲି କରିଛନ୍ତି। ଅବଶ୍ୟ ତାଙ୍କର ଏହି ରାଲିକୁ ମନା କରାଯାଇଥିଲା ଏବଂ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ କୁହାଯାଇଥିଲା। ରାଲିକୁ ନେଇ ପୋଲିସ୍ ତରଫରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା।
ତେବେ ପାକିସ୍ତାନ ସରକାରଙ୍କ ଚେତାବନୀ ସତ୍ତ୍ବେ ଇମରାନ ଖାନ୍ ରାଲିକୁ ସମ୍ବୋଧନ କରିଥିଲେ। ଆତଙ୍କୀଙ୍କ ଡର ଥିଲା ଏଥିପାଇଁ ସେ ବୁଲେଟ୍ପ୍ରୁଫ୍ କଣ୍ଟେନର ମଧ୍ୟରେ ଭାଷଣ ଦେଇଥିଲେ। ଇମରାନ କହିଛନ୍ତି ଯେ ଉତ୍ସାହକୁ ଆପଣ ଡରାଇପାରିବେ ନାହିଁ, ଧମକାଇପାରିବେ ନାହିଁ। ସୂଚନାଥାଉ ଇମରାନଙ୍କୁ କୋର୍ଟରୁ ୨୭ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ ୧୪୩ ମାମଲା ରହିଛି।
ଇମରାନ କହିଛନ୍ତି ଯେ ସରକାର ତାଙ୍କ ସମର୍ଥକଙ୍କୁ ଆସିବାକୁ ରୋକିଥିଲେ। ୨୦୦୦ ପିଟିଆଇ କର୍ମୀଙ୍କୁ ଜେଲ୍ରେ ପଠାଇଦିଆଯାଇଥିଲା। ରାସ୍ତାରେ କଣ୍ଟେନର ରଖିଦିଆଯାଇଥିଲା ଫଳରେ ଲୋକେ ଏଠାକୁ ଆସିପାରିନଥିଲେ। ସେ କହିଥିଲେ ଯେ ପାକିସ୍ତାନ ଲୋକଙ୍କ ସୁରକ୍ଷା କରିବା ଆମର ଦାୟିତ୍ବ। ସୂଚନା ଅନୁଯାୟୀ, ରାବି ବ୍ରିଜ୍ ଏବଂ ରେଲଓ୍ବେ ଷ୍ଟେସନରୁ ମୀନାର-ଏ-ପାକିସ୍ତାନକୁ ଥିବା ରାସ୍ତା ବନ୍ଦ କରାଯାଇଥିଲା। କିଛି ବଜାରରେ ପୋଲିସ୍ର କଡ଼ା ପହରା ଦେଖିବାକୁ ମିଳିଥିଲା।