ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆସିଲା ଇମ୍ରାନଙ୍କ ବଡ ବୟାନ, କହିଲେ ମୋଦି ଥିବା ଯାଏଁ 'କାଶ୍ମୀର' ନାଁ ବି ନେଇହେବନି

Published By : Prameya-News7 Bureau | February 24, 2020 IST

ଇସ୍ଲମାବାଦ୍‌ ୨୪।୨ :  କାଶ୍ମୀର ପ୍ରସଙ୍ଗରେ ସୋମବାର ବଡ ବୟାନ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଭାରତରେ ଥିବା ବର୍ତ୍ତମାନର ସରକାର ସମୟରେ କାଶ୍ମୀର ସମସ୍ୟାର କୌଣସି ସମାଧାନ ସମ୍ଭବ ନୁହେଁ ବୋଲି କହିଛନ୍ତି। ଇମ୍ରାନଙ୍କ କହିବା କଥା ହେଲା ମୋଦି ପ୍ରଧାନମନ୍ତ୍ରୀ ଥିବା ବେଳେ କାଶ୍ମୀରର ନାଁ ବି ନେଇ ହେବନି। ମୋଦିଙ୍କ ନେତୃତ୍ୱାଧୀନ ସରକାର ହିଟଲରଙ୍କ ବିଚାରଧାରାରେ ପରିଚାଳିତ। ଏଣୁ ଏବେ ଦେଶରୁ ମୁସଲମାନଙ୍କୁ ବାହାର କରିବାକୁ ଚାହୁଁଥିବା କହିଛନ୍ତି ଇମ୍ରାନ।

ବେଲଜିୟମ ଟିଭି ନେଟୱାର୍କ ବିଆରଟିକୁ ଦେଇଥିବା ଏହି ସାକ୍ଷାତକାରରେ ଇମ୍ରାନ 'ଭାରତର ବର୍ତ୍ତମାନ ସରକାରଠାରୁ କୌଣସି ଆଶା କରାଯାଇ ନପାରେ, ତେବେ ଯଦି ଆଗକୁ ସରକାର ବଦଳେ ତେବେ କାଶ୍ମୀର ସମସ୍ୟାର କିଛି ସମାଧାନର ରାସ୍ତା ଖୋଲିପାରେ ' ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନ ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ କାଶ୍ମୀରବାସୀଙ୍କୁ ଆତ୍ମ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭାରତ ପରେ ଏଥିରୁ ଓହରି ଯାଇଛି। କିନ୍ତୁ ଭାରତରେ ଏକ ମଜଭୁତ ଓ ସ୍ପଷ୍ଟ ନେତୃତ୍ୱର ସରକାର ହେଲେ କାଶ୍ମୀର ସମସ୍ୟାର ସମାଧାନ ସମ୍ଭବ ବୋଲି ଇମ୍ରାନ ଆଶାବ୍ୟକ୍ତ କରିଛନ୍ତି।କାରଣ ସବୁ ସମସ୍ୟାର ସମାଧାନ ଅଛି ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନର ଭରତ ସରକାର ଆରଏସ୍ଏସ୍‌ର ବିଚାରଧାରାରେ ଚାଲୁଛନ୍ତି। ଯାହା ୩୦ ଦଶକରେ ନାଜିମାନଙ୍କ ଆଦର୍ଶରେ ପ୍ରେରିତ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଟଲରଙ୍କ ଆଦର୍ଶର ଅନୁସରଣ କରନ୍ତି। କେବଳ ଏହି କାରଣ ଯୋଗୁ କାଶ୍ମୀରର ୮୦ ନିୟୁତ ଲୋକେ ଯେଉଁମାନେ ମୁସଲମାନ ସେମାନଙ୍କୁ ଖୋଲା ଜେଲରେ ବନ୍ଦୀ କରିଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.