ପତ୍ନୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି ବି ପାରିବାରିକ ମାନ୍ୟ ହେବ: ଆଲାହାବାଦ ହାଇକୋର୍ଟ

Published By : Prameya-News7 Bureau | February 23, 2024 IST

ପ୍ରୟାଗରାଜ ୨୩।୨: ଏଲହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ହିନ୍ଦୁ ପତିଙ୍କ ଦ୍ୱାରା ପତ୍ନୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତିକୁ ପାରିବାରିକ ସମ୍ପତ୍ତି ମନେ କରାଯିବ। କୋର୍ଟ କହିଛନ୍ତି ଯେ ପତ୍ନୀ ଯିଏ ଗୃହିଣୀ ଓ ଯାହାଙ୍କର ନିଜର କୌଣସି ସ୍ୱତନ୍ତ୍ର ଆୟ ନାହିଁ, ତାଙ୍କ ନାମରେ କିଣା ଯାଇଥିବା ସମ୍ପତ୍ତି ପାରିବାରିକ ସମ୍ପତ୍ତି ମାନ୍ୟହେବ। ପତ୍ନୀଙ୍କ ନାମରେ ସମ୍ପତ୍ତି କିଣିବା ହିନ୍ଦୁ ପରିବାରରେ ଏକ ସାଧାରଣ ଚଳଣୀ। ପୁଅଙ୍କ ଦ୍ୱାରା ମୃତ ପିତାଙ୍କ ସମ୍ପତ୍ତିରୁ ଭାଗ ଘୋଷଣା ଦାବିକୁ ନେଇ ଦାଖଲ ନିବେଦନରେ ବିଚାରପତି ଜଷ୍ଟିସ୍ ଅଋଣ ସିଂହ ଦେଶୱାଲ ଏହି ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ସାକ୍ଷ୍ୟ ଅଧିନିୟମର ଧାରା ୧୧୪ ଅନୁସାରେ ନ୍ୟାୟାଳୟ ଏହା ମନେ କରନ୍ତି ଯେ ଗୃହିଣୀ ପତ୍ନୀ ଯାହାଙ୍କର କୌଣସି ଆୟ ନାହିଁ ତାଙ୍କ ନାମରେ ସ୍ୱାମୀ ସମ୍ପତ୍ତି କିଣିଥିଲେ ତାହା ପାରିବାରିକ ସମ୍ପତ୍ତି ଗଣ୍ୟ ହେବ। କୋର୍ଟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଏହା ପ୍ରମାଣିତ ନ କରାଯାଇଛି ଯେ ସମ୍ପତ୍ତି ପତ୍ନୀଙ୍କ ଆୟରେ କିଣାଯାଇଛି, ସେ ପର୍ଯ୍ୟନ୍ତ ଏହାକୁ ପାରିବାରିକ ସମ୍ପତ୍ତି ମନେ କରାଯିବ। ପୁଅ ସିଭିଲ ସୁଟ୍ କରି ପିତାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତିରେ ତାଙ୍କୁ ଏକ ଚତୁର୍ଥାଂଶର ମାଲିକ ଘୋଷଣା କରିବାକୁ ଦାବି କରିଛନ୍ତି।

ପୁଅ କହିଛନ୍ତି ଯେ ସମ୍ପତ୍ତି ପିତାଙ୍କ ଦ୍ୱାରା କିଣାଯାଇଛି। ଏଣୁ ଏଥିରେ ମାଙ୍କ ସହ ତାଙ୍କର ମଧ୍ୟ  ସମାନ ଭାଗ ରହିଛି। ଏଣୁ ସମ୍ପତ୍ତିକୁ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତରଣରେ ରୋକ ଲଗାଇବାକୁ ପୁଅ କୋର୍ଟରେ ନିବେଦନ କରିଥିଲେ। ଏଥିରେ ତାଙ୍କ ମା କହିଥିଲେ ଯେ ତାଙ୍କ ପତି ତାଙ୍କୁ ଉପହାରରେ ଏହି ସମ୍ପତ୍ତି ଦେଇଥିଲେ, ତାଙ୍କର ନିଜର କୌଣସି ଆୟ ନଥିଲା। ଏଣୁ ଟ୍ରାୟଲ କୋର୍ଟ ପୁଅ ଦ୍ୱାରା ଆଗତ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଟ୍ରାୟଲ କୋର୍ଟଙ୍କ ରାୟକୁ ପୁଅ ହାଇକୋର୍ଟରେ ଚାଲେଞ୍ଜ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.