ଶ୍ରୀମନ୍ଦିର ତିନି ଦ୍ୱାରରେ ହେବ ରୂପା ଛାଉଣୀ, ଗୁରୁବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | May 09, 2024 IST

ପୁରୀ ୦୯।୦୫ : ଶ୍ରୀମନ୍ଦିର ତିନି ଦ୍ବାରର ହେବ ରୂପା ଛାଉଣୀ। ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ରହିବେ। 

ଶ୍ରୀମନ୍ଦିର ହସ୍ତୀ ଦ୍ବାର ବା ପଶ୍ଚିମ ଦ୍ବାର, ବ୍ୟାଘ୍ର ବା ଉତ୍ତର ଦ୍ଵାର ଓ ଅଶ୍ବ ବା ଦକ୍ଷିଣ ଦ୍ବାରର ରୂପା ଛାଉଣୀ କରାଯିବ। ରଥଯାତ୍ରା ପୂର୍ବରୁ ଏହି ତିନି ଦ୍ବାର ରୂପାରେ ଝଲସିବ। ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ବାରର ନିର୍ମାଣ କରାଯିବାକୁ ଥିବାବେଳେ ରିଲାଏନ୍ସ ଏନେଇ କାଠ ଓ ରୂପା ଦାନରେ ଦେବ। ତେବେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରାୟ ୫ଶହ କେଜି ରୂପା ଲାଗିଥିବା ବେଳେ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ବାରରେ ମଧ୍ୟ ୫ଶହ କେଜି ଲେଖାଏଁ ୧୫ଶହ କେଜି ରୂପା ଲାଗିବ।‌କମ୍ପାନୀ ତରଫରୁ ସ୍ବତନ୍ତ୍ର କାରିଗର ଆସି ଏହି ନିର୍ମାଣ କାର୍ଯ୍ୟ କରିବେ। ରୂପା ଉପରେ କେଉଁ କାର୍ଯ୍ୟ ରହିବ ସେନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯିବ। 

ରଥଯାତ୍ରା ପୂର୍ବରୁ ଯେଭଳି ଭାବେ ଏହି କାର୍ଯ୍ୟ ଶେଷ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହେବ। ପୂର୍ବରୁ ଶ୍ରୀମନ୍ଦିର ବେହରଣ ଦ୍ବାର, ଜୟ ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ଵ ଦ୍ବାର, ସାତ ପାହାଚ ଦ୍ବାର, ଆଦି ନୃସିଂହ, ମା ବିମଳା ଓ ମହାଲକ୍ଷ୍ମୀ ମନ୍ଦିରର ନୂଆ ବର୍ମାଟିକ ନିର୍ମାଣ କରାଯିବା ସହ ଏଥିରେ ରୂପା ଚାଦର ଆଚ୍ଛାଦିତ ହୋଇଥିଲା। ସେହିପରି ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାର ମଧ୍ୟ ରୂପା ଛାଉଣୀ ହୋଇଥିଲା। 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.