ଗୁଜରାଟ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ, କଟିବ ବରିଷ୍ଠ ନେତାଙ୍କ ଟିକେଟ୍

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ନେଇ ପ୍ରଚାର ଏବଂ ରାଲି ଜୋରଦାର ଚାଲିଛି। ଏଥର ରାଜ୍ୟରେ ତ୍ରିମୁଖୀ ଲଢେଇ ହେଉଛି। ଶାସକ ବିଜେପି ଏବଂ କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ମଇଦାନକୁ ଓହ୍ଲାଇଛି। ବିଜେପି ନିଜର ଗଡ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ବିଜେପିକୁ କ୍ଷମତାଚ୍ୟୁତ୍ କରିବା ପାଇଁ ବିରୋଧୀ ଅଣ୍ଟାଭିଡିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଶୀର୍ଷ ନେତାଙ୍କ ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବରିଷ୍ଠ ନେତା ସାମିଲ୍।

ଏଥର ନିର୍ବାଚନରେ ରେକର୍ଡ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏଥର ଆସନରେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିବା ନେଇ ବିଚାର କରୁଛି। ଅନେକ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍ ଦିଆଯାଇପାରେ। ଯେଉଁମାନଙ୍କ ବୟସ ୭୫ ବର୍ଷରୁ ଅଧିକ ସେମାନଙ୍କୁ ଟିକେଟ୍ ମିଳିବନି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କିଛି ବରିଷ୍ଠ ନେତାଙ୍କୁ ଏଥର ପ୍ରାର୍ଥୀ କରାଯାଇନପାରେ। ସୌରଭ ପଟେଲ୍ ଏବଂ ଭୂପେନ୍ଦ୍ର ସିଂହ ଚୂଡସ୍ମାଙ୍କ ପରି ନେତା ସାମିଲ୍।

ଅନ୍ୟପକ୍ଷେ ଚଳିତ ଥର ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍। ହାର୍ଦ୍ଦିକ ପଟେଲ୍‌ଙ୍କୁ ବୀରମଗାମ ଆସନରୁ ଏବଂ ଅଳ୍ପେଶ ଠାକୁରଙ୍କୁ ମଇଦାନକୁ ଓହ୍ଲାଯିବ। ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭବ ପଟେଲ୍‌ ବିଜେପି ଟିକେଟ୍‌ରୁ ଉତ୍ତର ଜାମନଗରରୁ ନିର୍ବାଚନ ଲଢିବେ।

ସୂଚନାଯୋଗ୍ୟ, ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହରାଜ୍ୟ ଗୁଜରାଟରେ ବିଜେପି କ୍ଷମତାରେ  ରହିଛି। ଏଥର ଦଳ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି। ଆଜିର ବୈଠକରେ ବିଜେପି ୧୮୨ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରି ସାରିଛି। ଆଗାମୀ କିଛି ଦିନରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଆସନ ଜିତିଥିବା ବେଳେ କଂଗ୍ରେସ ୭୭ ଆସନରେ ବିଜୟ ହାସଲ କରିଥିଲା।  ଗୁଜରାଟରେ ଡିସେମ୍ବର ୧ ଏବଂ ଡିସେମ୍ବର ୫ର ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଡିସେମ୍ବର ୮ରେ ଭୋଟ୍ ଗଣତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.