ନଭେମ୍ବର ୧ ରୁ ଲ୍ୟାପଟପ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିବ କଟକଣା
5/08/2023 at 6:23 PM

ନୂଆଦିଲ୍ଲୀ: ବିଦେଶରୁ ଲ୍ୟାପଟପ, ଟ୍ୟାବଲେଟ୍, ଅଲ୍ ଇନ୍ ୱାନ ପର୍ଶନାଲ କମ୍ପ୍ୟୁଟର, ଅଲଟ୍ରାମଲ କମ୍ପ୍ୟୁଟର ଓ ସର୍ଭର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ପ୍ରାୟ ୩ ମାସ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ୨୦୨୩ ନଭେମ୍ବର ୧ ତାରିଖରୁ ଲାଗୁ ହେବ ବୋଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦିଶକ(ଡିଜିଏଫ୍ଟି) ସୂଚନା ଦେଇଛନ୍ତି।
ଅଗଷ୍ଟ ୩ ତାରିଖରେ ହଠାତ୍ କେନ୍ଦ୍ର ସରକାରଙ୍କର ଏଭଳି ଘୋଷଣା କରିବା ପରେ ରପ୍ତାନୀକାରୀ ବିଦେଶୀ କମ୍ପାନୀଗୁଡ଼ିକ ତଟସ୍ଥ ହୋଇଯାଇଥିଲେ। କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାରୁ ସରକାର ସେମାନଙ୍କୁ ପ୍ରାୟ ୯୦ ଦିନର ସମୟ ଦେଇଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ବିନା ଆମଦାନୀ ଲାଇସେନ୍ସରେ ଆମଦାନୀ କରାଯାଇଥିବା ଉପକରଣ ଓ ସାମଗ୍ରୀ ଗୁଡ଼ିକୁ ୩୧ ଅକ୍ଟୋବର, ୨୦୨୩ ପର୍ଯ୍ୟନ୍ତ ଅନୁମତି ମିଳିବ। ଏହାପରେ ନଭେମ୍ବର ୧ ଠାରୁ ଆମଦାନୀ ସାମଗ୍ରୀ ରପ୍ତାନୀ ପାଇଁ ଲାଇସେନ୍ସର ଆବଶ୍ୟକତା ହେବ।
ଇକୋନୋମିକ୍ସ ରିପୋର୍ଟ ଅନୁଯାୟୀ, ଭାରତୀୟ ଶିଳ୍ପ ପ୍ରତିନିଧୀମାନେ ସ୍ୱଦେଶୀ ଉତ୍ପାଦନ ପାଇଁ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ପଢ଼ନ୍ତୁ-ସାମ୍ନାକୁ ଆସିଲା iPhone 15ର ଲଞ୍ଚ ଡେଟ୍, ଏହି ଦିନ ବଜାରକୁ ଆସିପାରେ ନୂଆ ସିରିଜ୍
ତେବେ ବିଦେଶରୁ ଆମଦାନୀ ପାଇଁ DGFT ଏକ ପୋର୍ଟାଲ୍ ପ୍ରସ୍ତୁତ କରିଛି। ମାତ୍ର କେଇଁ ଘଣ୍ଟାରେ ଏହି ପୋର୍ଟାଲ୍ରୁ ଆମଦାନୀକାରୀ କମ୍ପାନୀକୁ ଲାଇସେନ୍ସ ମିଳୁଛି। ଲାଇସେନ୍ସ ଲାଗୁ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ସୂଚନା ଏକତ୍ରିତ କରିବା। ତା ଛଡ଼ା ରୋକ୍ ଲଗାଯାଇଥିବା ସାମଗ୍ରୀଗୁଡ଼ିକ ଉପରେ ସ୍ପଷ୍ଟୀକରଣ ମଗାଯାଇପାରିବ।
ଏଭଳି ନିଷ୍ପତ୍ତିର ଉଦ୍ଦେଶ୍ୟ କ’ଣ ?
କେନ୍ଦ୍ର ସରକାରଙ୍କର ହଠାତ୍ ଏଭଳି ନିଷ୍ପତ୍ତିର ଦୁଇଟି ଲକ୍ଷ୍ୟ ରହିଛି। ପ୍ରଥମଟି ସୁରକ୍ଷା ଦୃଷ୍ଟିରୁ ଓ ଦ୍ୱିତୀୟଟି ଦେଶରେ ଉତ୍ପାଦନ ବୃଦ୍ଧି କରିବା। ବିଦେଶରୁ ଆମଦାନୀ ହେଉଥିବା ଟିଭି, ଲ୍ୟାପ୍ଟପ୍ ଆଜି ସାମଗ୍ରୀ ଉପରେ ଡାଟା ଲିକ୍ ନେଇ ସୁରକ୍ଷା ସମସ୍ୟା ସୃଷ୍ଟି ହେଉଛି। ଏଭଳି ଲାଇସେନ୍ସ ଲାଗୁ ହେବା ଦ୍ୱାରା ଭବିଷ୍ୟତରେ ଏଭଳି ଘଟଣା ପାଇଁ ସରକାର ଉକ୍ତ କମ୍ପାନୀକୁ ଉତ୍ତରଦାୟୀ କରିପାରିବେ। ଏହା ବାଦ୍ ବିଦେଶରୁ ରପ୍ତାନୀ କରିବା ଦ୍ୱାରା ଦେଶରେ ଏଗୁଡ଼ିକର ଆମଦାନୀ ବୃଦ୍ଧି ହେବ ଓ ରୋଜଗାର ବଢିବ। ଏଥିପାଇଁ ସରକାର ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରିଛନ୍ତି।

ପଢ଼ନ୍ତୁ-ସାମ୍ସଙ୍ଗକୁ ପଛରେ ପକାଇଲା Vivo, ହେଲା ଭାରତର ସବୁଠୁ ଅଧିକ ସ୍ମାର୍ଟଫୋନ ବିକ୍ରି କରୁଥିବା କମ୍ପାନି
ବଢ଼ିବ ଲ୍ୟାପ୍ଟପ ଓ କମ୍ପ୍ୟୁଟର ଦାମ
କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ କମ୍ପ୍ୟୁଟର ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ। ଚାହିଦା ବଢିବା ଦ୍ୱାରା ସାମଗ୍ରୀର ଅଭାବ ହେଲେ ମୂଲ୍ୟ ଆକାଶ ଛୁଆଁ ହେବ। ଭାରତୀୟ ବ୍ୟବହାର କରୁଥିବା ଅଧିକାଂଶ ଲ୍ୟାପଟପ୍ ଆମେରିକା, ଭିଏତନାମ, ଚୀନ ଓ କୋରିଆରୁ ଆସୁଛି। ଭାରତୀୟ ଲ୍ୟାପଟପ୍ ଉଦ୍ୟୋଗ ନାହିଁ କହିଲେ ଚଳେ। ତେଣୁ ହଠାତ ୩ ମାସ ଭିତରେ ଏତେବଡ଼ ଉଦ୍ୟୋଗ ଛିଡ଼ା କରିବା ଅସମ୍ଭବ ବ୍ୟାପାର ଲାଗୁଥିବା ବେଳେ ମୂଲ୍ୟ ବୃଦ୍ଧି ହେବା ସ୍ୱାଭାବିକ। ଆଉ ଥରେ ମାତ୍ର ମୂଲ୍ୟ ବୃଦ୍ଧି ହେବା ଦ୍ୱାରା ହ୍ରାସ ହେବାର ସମ୍ଭାବନା କ୍ଷୀଣ। ଭାରତରେ ଉତ୍ପାଦନ ହେଲେ ବି ବର୍ଦ୍ଧିତ ଦରରେ ସାମାନ୍ୟ ହ୍ରାସ ହେଇପାରେ। ହେଲେ ଚଢ଼ା ଦର କମି ନପାରେ।ଯଦିଓ କମ୍ପାନୀମାନେ ଲାଇସେନ୍ସ ଦ୍ୱାରା ସାମଗ୍ରୀ ବିଦେଶରୁ ଆମଦାନୀ କରିବ ତେବେ ସେମାନେ ଏଥିପାଇଁ ମୂଲ୍ୟ ବଢ଼ାଇ ଦେଇପାରନ୍ତି ବୋଲି କୁହାଯାଉଛି।