ହାର୍ଟ ଆଟାକ୍‌, ଫୁସ୍‌ଫୁସ୍‌ କ୍ୟାନ୍ସର ଏବଂ ଶ୍ବାସକ୍ରିୟାରେ ଅସୁବିଧା… ଜାଣନ୍ତୁ କେତେ କ୍ଷତିକାରକ ବାୟୁ ପ୍ରଦୂଷଣ…

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ । ଏଠାରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ଭୀଷଣ ସ୍ତରରେ ରହିଛି । ଦିଲ୍ଲୀରେ ବଢ଼ିଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଏବଂ ଏନସିଆର ଏହାର ଆଖପାଖ ଅଞ୍ଚଳରେ ଡିଜେଲ ଚାରିଚକିଆ ବାହାନ ଏବଂ ହାଲୁକା ବାହାନ ଉପରେ କଟକଣା ଲଗାଯାଇଛି ତଥା ବିଭିନ୍ନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଳଗାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଶରୀରର ବିଭିନ୍ନ ଅଙ୍ଗ ଉପରେ ଖରାପ ପ୍ରଭାବ ଦେଖାଇଥାଏ। ତେବେ ଆସନ୍ତୁ ଜାଣିବା ପ୍ରଦୂଷିତ ବାୟୁ ଶରୀର ପାଇଁ କେତେ କ୍ଷତିକାରକ।

ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ପ୍ରଦୂଷଣର ପ୍ରଭାବ ୨୦ ରୁ ୪୦ ବର୍ଷୀୟ ଲୋକଙ୍କ ଉପରେ ମଧ୍ୟ ପଡ଼ୁଛି ଯେଉଁମାନଙ୍କଠାରେ କୌଣସି ପ୍ରକାର ରୋଗ ନାହିଁ। ଏମାନଙ୍କଠାରେ ଅସ୍ଥମା ଭଳି ଲକ୍ଷଣ ନଜର ଆସୁଛି। ଏହା ବ୍ୟତୀତ ମୁଣ୍ଡବ୍ୟଥା, ଆଖିରେ ଯନ୍ତ୍ରଣା ଏବଂ ନାକରେ ଯନ୍ତ୍ରଣା ମଧ୍ୟ ଦେଖାଦେଉଛି।

‘ହୁ’ ର ରିପୋର୍ଟ ଅନୁଯାୟୀ, ପ୍ରଦୂଷିତ ବାୟୁରେ ଥିବା ଧୂଳିକଣା ଶ୍ବାସକ୍ରିୟା ମାଧ୍ୟମରେ ଶରୀରରେ ପ୍ରବେଶ କରି ରକ୍ତରେ ମିଶିଥାଏ।  ରକ୍ତ ଦ୍ବାରା ସମଗ୍ର ଶରୀରେ ବ୍ୟାପିଥାଏ ଏବଂ ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଏହା ହାର୍ଟ ଏବଂ ଶ୍ବାସକ୍ରିୟା ଜନିତ ରୋଗ ସହ ଫୁସଫୁସ୍ ଜନିତ କ୍ୟାନ୍ସର ଆଶଙ୍କା ବଢ଼ାଇଥାଏ। ବାୟୁରେ ଥିବା ନାଇଟ୍ରୋଜେନ୍ ଏବଂ ସଲ୍ଫର ଡାଇଅକ୍ସାଇଡ୍ ଅସ୍ଥମା, ଫୁସଫୁସ୍‌ରେ ଯନ୍ତ୍ରଣା ଏବଂ ଏହାର କ୍ଷମତାକୁ କମ୍ କରାଇଥାଏ। ବାୟୁ ପ୍ରଦୂଷଣ ଧମନୀରେ ବ୍ଲକେଜ୍ ବଢ଼ାଇଥାଏ। ଏହାଦ୍ବାରା ଶରୀରରେ ରକ୍ତ ପ୍ରବାହ ଧୀର ହୋଇଯାଇଥାଏ। ଫଳରେ ବ୍ଲଡ୍ ପ୍ରେସର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହାର ପ୍ରଭାବ ବଢ଼ିବା ସହ ହାର୍ଟ ଆଟାକ୍‌ର କାରଣ ପାଲଟିଥାଏ।

ଜର୍ଣ୍ଣାଲ୍‌ ଅଫ୍ ନ୍ୟୁରୋଲୋଜୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାୟୁରେ ପ୍ରଦୂଷିତ ଧୂଳିକଣା ମନୁଷ୍ୟର ସ୍ମରଣଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ସିକାଗୋ ୟୁନିଭର୍ସିଟିର ରିସର୍ଚ୍ଚରେ କୁହାଯାଇଛି ଯେ ପ୍ରଦୂଷଣ ଯୋଗୁଁ ମନୁଷ୍ୟର ବୟସ ୧୦ ବର୍ଷ ପର୍ଯ୍ୟନ୍ତ କମ୍ ହେଉଛି। ବାୟୁ ପ୍ରଦୂଷଣ ଯେ କେବଳ ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଏହା ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ବୋଲି ବେଲଜିୟମ ବୈଜ୍ଞାନିକ ଦାବି କରିଛନ୍ତି। ବାୟୁ ପ୍ରଦୂଷଣ କେବଳ ହାର୍ଟ, ଫୁସ୍‌ଫୁସ୍‌ ବ୍ୟତୀତ ବ୍ରେନ ଷ୍ଟ୍ରୋକ୍, ସମୟ ପୂର୍ବରୁ ଶିଶୁ ଜନ୍ମ ହେବା, ପିଳାର ବୃଦ୍ଧିରେ ବାଧା ସୃଷ୍ଟି ହେବା ଉତ୍ପନ୍ନ ହୋଇଥାଏ।

ଅଧିକାଂଶ ଲୋକଙ୍କ ଅନୁଯାୟୀ ଘର ଭିତରେ ପ୍ରଦୂଷଣ ପ୍ରଭାବ ହୋଇନଥାଏ। କିନ୍ତୁ ଏମିତି ନୁହେଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପାର୍ଟ ଅନୁଯାୟୀ ଦୁନିଆରେ ୨୪୦୦ କୋଟି ଲୋକ ଘର ଭିତରେ ପ୍ରଦୂଷଣ ସହ ଲଢ଼ୁଛନ୍ତି। କାରଣ ଘରେ କାଠ ଜଳାଇ ଖାଦ୍ୟ ପ୍ରସ୍ତୁତ କରିବା, ଷ୍ଟୋଭ୍ ଜଳାଇବା, କିରୋସିନିର ବ୍ୟବହାର କରିବା ଭଳି ଅନେକ ଦିଗ ରହିଛି ଯାହା ଘରେ ପ୍ରଦୂଷଣ ସ୍ତର ବଢ଼ାଉଛନ୍ତି। ଦୁନିଆରେ ପ୍ରତିବର୍ଷ ୭୦ ଲକ୍ଷ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣରୁ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.