<strong>ରାଗିଂ ସମ୍ପର୍କିତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ</strong>

Published By : Prameya-News7 Bureau | July 06, 2022 IST

ଝାରସୁଗୁଡ଼ା ୦୬/୦୭: ମହାବିଦ୍ୟାଳୟ, ଯାନ୍ତ୍ରିକ ବିଦ୍ୟାଳୟମାନଙ୍କରେ ରାଗିଙ୍ଗ ଉପରେ ରୋକ ଲଗାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସାମଲ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ, ଯୁକ୍ତ ତିନି ମହାବିଦ୍ୟାଳୟ ସହିତ ସମସ୍ତ ଯାନ୍ତ୍ରିକ ବିଦ୍ୟାଳୟ, ଆଇ ଟି ଆଇ, ନର୍ସିଂ ସ୍କୁଲ ଓ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କୁ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ଗଠନ ସମ୍ପର୍କରେ ପଚାରି ବୁଝିବା ସହ ରାଗିଙ୍ଗ ସମ୍ପର୍କିତ ଘଟଣାର ତୁରନ୍ତ ଅନୁସନ୍ଧାନ କରିବା ଓ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଶିକ୍ଷାୟତନ ପରିସରରେ ଶୈକ୍ଷିକ ବାତାବରଣ ସଠିକ ଭାବରେ ପରିଚାଳନା କରିବା ଏବଂ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ରାବାସ ଦାୟିତ୍ୱରେ ରହୁଥିବା ଅଧ୍ୟକ୍ଷ, ୱାର୍ଡନ ଛାତ୍ରାବାସ ପାଖରେ ରହିବା ଓ ପ୍ରତ୍ୟହ ଦୁଇ ଥର ଛାତ୍ରାବାସ ପରିଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶାରୀରିକ ଓ ମାନସିକ ସ୍ତରରେ ରାଗିଙ୍ଗର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସେଲିଂ ମାଧ୍ୟମରେ ସଚେତନ କରାଇବା ସହ ରାଗିଙ୍ଗରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଦିଷ୍ଟ ଦଣ୍ଡ ବିଧାନ ସମ୍ପର୍କରେ ସତର୍କ କରାଇବାକୁ ଜିଲ୍ଲାପାଳ ଆଲୋଚନା କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ, ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ, ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଲତା ମିଞ୍ଜ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷ ଡି. ଖୁରା ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.