ଚେତାବନୀ ଦେଲା IMF, ୨୦୨୩ରେ ଆର୍ଥିକ ମାନ୍ଦାବସ୍ଥାର ଭୟ, ଦରବୃଦ୍ଧି ଘଟିଲେ ସ୍ଥିତି ହେବ ଆହୁରି ଜଟିଳ
9/09/2022 at 11:12 PM

ନୂଆଦିଲ୍ଲୀ: ୨୦୨୨ ତୁଳନାରେ ୨୦୨୩ ବର୍ଷଟି ଆର୍ଥିକ ଦୃଷ୍ଟିରୁ ବହୁତ ଖରାପ ରହିପାରେ। ଦରବୃଦ୍ଧି କାରଣରୁ ସ୍ଥିତି ଆହୁରି ବିଗିଡିପାରେ। ଏହା କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF)ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆ। ହେଲେ ନିଜ ବୟାନରେ ଭାରତର ଅଭିବୃଦ୍ଧିହାର ଉନ୍ନତ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି। କିନ୍ତୁ ଚେତାବନୀ ଦେଇଛନ୍ତି ଯେ, ବୈଶ୍ଵିକ ମାନ୍ଦାବସ୍ଥା ପୂରା ଦୁନିଆର ବିକାଶଶୀଳ ଦେଶଠୁ ନେଇ ଶକ୍ତିଶାଳୀ ଦେଶଗୁଡିକୁ ନିଜ କବଳକୁ ନେଇଯିବ।
CNBC-TV18 ସହିତ ସାକ୍ଷାତକାରରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆ କହିଛନ୍ତି, ବୈଶ୍ଵିକ ମହଙ୍ଗାଇ ଆଶାଠୁ ଅଧିକ ଖରାପ ହୋଇପାରେ। କଣ ଦୁନିଆ ମାନ୍ଦାବସ୍ଥାର ସମ୍ମୁଖୀନ ହେବ କି ପ୍ରଶ୍ନ ଉପରେ ଆଇଏମଏଫ ପ୍ରମୁଖ କହିଛନ୍ତି, କରୋନା ମହାମାରୀ, ୟୁକ୍ରେନ ସହ ରୁଷର ଯୁଦ୍ଧ ପରେ ପରିଣାମସ୍ଵରୂପ ମାନ୍ଦାବସ୍ଥା ସ୍ଥିତିକୁ ଆହୁରି ବିଗାଡିପାରେ।
ସେ କହିଛନ୍ତି, ୟୁଏସ ଫେଡେରାଲ ରିଜର୍ଭ ଲଗାତାର ସୁଧହାର ବଢାଇ ଚାଲିଛି ଏବଂ ଆଶା କରୁଛୁ ଆଗାମୀ ସମୟରେ ଦରବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ଯଥା ସମ୍ଭବ ପ୍ରୟାସ କରାଯିବ। ଜର୍ଜିଆ କହିଛନ୍ତି, ଦୁନିଆର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ୟୁଏସ ଫେଡେରାଲ ରିଜର୍ଭ ବ୍ୟାଙ୍କର ନୀତିକୁ ଅନୁସରଣ କରିଥାନ୍ତି। ତେଣୁ ୨୦୨୨ ତୁଳନାରେ ୨୦୨୩ ବର୍ଷଟି ଆର୍ଥିକ ଦୃଷ୍ଟିରୁ କେତେ ଚ୍ୟାଲେଞ୍ଜିଂ ରହିବ ତାହା ଏବେଠୁ କହିବା ମୁସ୍କିଲ ହେବ। ମାତ୍ର ଅନୁମାନ କରାଯାଇ ପାରିବ ଯେ, ଆସନ୍ତା ବର୍ଷ ଅର୍ଥନୈତିକ ଦୃଷ୍ଟିରୁ ଦୁନିଆ ପାଇଁ ବହୁତ ବଡ ଆହ୍ଵାନ ହେବ।
ଜର୍ଜିଆ ଭାରତର ପ୍ରଶଂସା କରି କହିଛନ୍ତି, ଭାରତର ବିକାଶ ହାରରେ ବୃଦ୍ଧି ଏକ ଭଲ ସଙ୍କେତ। ଦେଶର ତ୍ରୈମାସରେ ଆଶାନୁରୂପ ପରିଣାମ ମିଳିଛି। ଭାରତ ଜିଡିପିରେ ୧୩ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଏହା ମନେ ରଖିବାକୁ ପଡିବ ଯେ, ଭାରତ ମଧ୍ୟ ନିଜର ନିର୍ଦ୍ଧାରିତ ଅନୁମାନ ତୂଳନାରେ ଖରାପ ପ୍ରଦର୍ଶନ କରିଛି।