ନିରୀହ ଗାଁ ଲୋକଙ୍କୁ ଭୁତାଉଛି ‘ଇମ୍ଫା କମ୍ପାନୀ’: ଚୁଆ ଓ ନାଳ ପାଣି ଉପରେ ନିର୍ଭର କରୁଛନ୍ତି ୪ ଖଣ୍ଡ ଗାଁ, କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ ?
24/09/2020 at 7:29 PM

ଯାଜପୁର୨୪/୯: ନିରୀହ ଗାଁ ଲୋକଙ୍କୁ ଭୁତାଉଛି ଇମ୍ଫା କମ୍ପାନୀ। ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗାଁରେ ବସାଇଲେ ପାନୀୟଜଳ ପ୍ରକଳ୍ପ। ହେଲେ ଜଳ ପ୍ରକଳ୍ପ ନିର୍ମାଣ କରିବାର ବର୍ଷେ ହେଇନି, ଏପଟେ ଜଳ ପ୍ରକଳ୍ପ ଗୁଡିକ ଅକାମୀ ହୋଇପଡିଛି। ସ୍ଥାନୀୟ ଲୋକେ ବାରମ୍ବାର ଗୁହାରି କଲେ ବି ଶୁଣୁନାହାନ୍ତି ଇମ୍ଫା କର୍ତ୍ତୃପକ୍ଷ।

ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣିସ୍ଥିତ ଚିଙ୍ଗୁଳିପାଳ ପଞ୍ଚାୟତର ବେଣାଗାଡ଼ିଆ ସମେତ ଚାରୋଟି ଗାଁରେ ଦେଖିବାକୁ ମିଳିଛି ପିଇବା ପାଣିର ସମସ୍ୟା। ଏହି ଗାଁରେ ବସବାସ କରନ୍ତି ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ। ଏହି ଆଦିବାସୀ ଅଧ୍ୟୁଷିତ ଗାଁର ଲୋକେ ନଳକୂପଟିଏ ନଥିବାରୁ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଇମ୍ଫା କମ୍ପାନୀ ତିଆରି କରିଥିବା ବୋରୋଓଲ ଟାଙ୍କି ଅଚଳ ହୋଇ ପଡ଼ିଥିବା ସହ ପାଇପ୍ ସବୁ ନଷ୍ଟ ହୋଇପଡିଛି। ଟ୍ୟାପରୁ ପାଣି ବାହାରିବା ତ ଦୂରର କଥା ଟ୍ୟାବ ଗୁଡିକ କଳଙ୍କି ଖାଇ ହୋଇ ନଷ୍ଟ ହୋଇଗଲାଣି।

ଲୋକେ ବାଧ୍ୟହୋଇ ଚୁଆ ଓ ନାଳ ଉପରେ ନିର୍ଭର କରୁଛନ୍ତି। ମାଇଲି ମାଇଲି ଦୂରରୁ ଚୁଆ ଓ ନାଳରୁ ପାଣି ଆଣି ଏମାନେ ପିଉଛନ୍ତି। ତଥାପି ଏମାନଙ୍କ ସମସ୍ୟା ଦୂର ହୋଇନି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନାଳ ପାଣି ପିଇବା ଦ୍ଵାରା କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରି କି ଏହି ରୋଗରେ କିଛି ଲୋକ ମୃତ୍ୟୁ ବରଣ କରିସାରିଲେଣି ହେଲେ ଇମ୍ଫା କମ୍ପାନୀକୁ ଯେତେ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।