ପାକିସ୍ତାନକୁ ଆଇଏମଏଫ୍ର ଝଟକା, ଋଣ ପରିଚାଳନା ଯୋଜନାକୁ ଖାରଜ, ଦେଶରେ ପ୍ରତି ୟୁନିଟ୍ ବିଜୁଳି ବିଲ୍ ୧୨ ଟଙ୍କା ବଢ଼ାଇବାକୁ ପରାମର୍ଶ
2/02/2023 at 10:12 PM

ନୂଆଦିଲ୍ଳୀ, ୦୨/୦୨: ପାକିସ୍ତାନକୁ ଆଇଏମଏଫ୍ର ଝଟକା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ୍) ପାକିସ୍ତାନର ସଂଶୋଧିତ ଋଣ ପରିଚାଳନା ଯୋଜନା(ସିଡିଏମପି)କୁ ଖାରଜ କରିଛି। ପାକିସ୍ତାନ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ବିଜୁଳି ବିଲ୍ ୧୧ ରୁ ୧୨.୫୦ ଟଙ୍କା ପ୍ରତି ୟୁନିଟ୍ ବଢ଼ାଇବାକୁ ମଧ୍ୟ କହିଛନ୍ତି। ଏହା ସହ ଆଇଏମଏଫ ବିଜୁଳି ଉପରେ ସବସିଡିକୁ ୩୩୫ ବିଲିୟନ ପାକିସ୍ତାନୀ ଟଙ୍କା ମଧ୍ୟରେ ସୀମିତ ରଖିବାକୁ କହିଛନ୍ତି।
ନାଥନ ପୋର୍ଟରଙ୍କ ନେତୃତ୍ବରେ ଆଇଏମଏଫ୍ ସମୀକ୍ଷା ମିଶନ ସୋମବାରକୁ ଇସଲାମାବାଦ ପହଞ୍ଚିଥିଲା। ଉଭୟ ପକ୍ଷ ୭ ବିଲିୟନ ଆମେରିକା ଡଲାର ଋଣ ଉପରେ ୯ମ ଥର ସମୀକ୍ଷା କରିଛନ୍ତି।
ଦ ନ୍ୟୁଜ୍ ଇଣ୍ଟରନାସନାଲ ରିପୋର୍ଟ ଅନୁଯାୟୀ, ଆଇଏମଏଫ୍ ପାକିସ୍ତାନର ସଂଶୋଧିତ ସିଡିଏମପିକୁ ଅବାସ୍ତବିକ କହିଛନ୍ତି ଏବଂ କହିଛନ୍ତି ଭୁଲ୍ ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି। ଆଇଏମଏଫ କହିଛି ପାକିସ୍ତାନ ସରକାରଙ୍କୁ ବିଜୁଳି କ୍ଷେତ୍ରର କ୍ଷତିକୁ ସୀମିତ କରିବା ପାଇଁ ନୀତିଗତ ଉପାୟରେ ପରିବର୍ତ୍ତନ କରିବାକୁ ହେବ।
ଆଇଏମଏଫ୍ ନଭେମ୍ବର ୨୦୨୨ ରେ ମଧ୍ୟ ଲୋନ୍ ମାମଲାରେ ପାକିସ୍ତାନକୁ କହିଥିଲା ଯେ ସେ ପ୍ରଥମେ ନିଜର ଖର୍ଚ୍ଚ କମ୍ କରିବା ଉପରେ କାମ କରୁ ଏହା ପରେ ହିଁ କରଜ ଦିଆଯାଇପାରିବ। ଆଇଏମଏଫ ଏପର୍ଯ୍ୟନ୍ତ ୫୦୦ ବିଲିୟନ ଟଙ୍କାର ଅତିରିକ୍ତ ସର୍କୁଲାର ଲୋନ୍କୁ ସମାପ୍ତ କରିବା ସହ ବିଜୁଳି ବିଲ୍ ବଢ଼ାଇବାକୁ କହିଛି।
ପାକିସ୍ତାନ ଯଦି ଏଭଳି କରେ ତେବେ ଦେଶରେ ପୂର୍ବରୁ ଆକାଶଛୁଆଁ ରହିଥିବା ଦରବୃଦ୍ଧି ଆହୁରି ବଢ଼ିଯିବ ଏବଂ ଲୋକଙ୍କୁ ଖାଦ୍ୟର ପ୍ରତିଟି ଅନ୍ନ ପାଇଁ କଷ୍ଟ କରିବାକୁ ପଡ଼ିବ। ସେପଟେ ଇମରାନ ଖାନ୍ ଏହାକୁ ନେଇ ରାଜନୀତିକ ଫାଇଦା ଉଠାଇପାରନ୍ତି। ପାକିସ୍ତାନରେ ଖୁବ୍ ଶୀଘ୍ର ନିର୍ବାଚନ ହେବ।