ବିଶ୍ୱରେ ଭୟଙ୍କର ହୋଇପାରେ ଖାଦ୍ୟ ସଙ୍କଟ, ବିଭିନ୍ନ ଦେଶ ପକ୍ଷରୁ ଜାରି କଟକଣାକୁ ନେଇ ଚିନ୍ତିତ ଆଇଏମଏଫ୍

Published By : Prameya-News7 Bureau | June 11, 2022 IST

ନୂଆଦିଲ୍ଲୀ ୧୧/୦୬: ଅନେକ ଦେଶ ଖାଦ୍ୟ ଏବଂ ସାର ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) । ଆଇଏମ୍‌ଏଫ୍‌ ଏହାକୁ ନେଇ ଚିନ୍ତା ପ୍ରକାଶ କରିଥିବାବେଳେ କହିଛି ଯେ, ରାଷ୍ଟ୍ରଗୁଡ଼ିକର ଏଭଳି ପଦକ୍ଷେପ ଦ୍ୱାରା ବିଶ୍ୱ ଦରବୃଦ୍ଧି ଆହୁରି ତେଜିବ ଏବଂ ବଜାରରେ ଅସ୍ଥିରତା ବଢ଼ିଯିବ ।

ତେବେ ଇତିମଧ୍ୟରେ ଭାରତ ସରକାର ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କରିଥିବାବେଳେ ଏହାକୁ ପ୍ରଶଂସା କରିଛି ଆଇଏମ୍‌ଏଫ। ଆଇଏମ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୩୦ଟି ରାଷ୍ଟ୍ର ଖାଦ୍ୟ ଏବଂ ଇନ୍ଧନ ସମେତ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ନିଜ ଦେଶରେ ଦରକୁ ନିୟନ୍ତ୍ରଣ କରିବା ସକାଶେ ରାଷ୍ଟ୍ରଗୁଡ଼ିକ ଏଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ବିଶ୍ୱ ବଜାର ପାଇଁ ବଡ଼ ସଂକଟ ଆଣିଦେବ।

ଆଇଏମ୍‌ଏଫ୍‌ ମୁଖପାତ୍ର ଗେରି ରାଇସ୍‌ କହିଛନ୍ତି ଯେ, ଖାଦ୍ୟ ଏବଂ ସାର ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ନେଇ ଆମେ ଅତ୍ୟନ୍ତ ଚିନ୍ତିତ । ଏହା ବିଶ୍ୱ ଦରବୃଦ୍ଧି ସ୍ଥିତିକୁ ଆହୁରି ବିକୃତ କରିବ । ରାଇସ୍‌ କହିଛନ୍ତି ଯେ, ସୂତ୍ରରୁ ଜଣାପଡ଼ିଛି ପ୍ରାୟ ୩୦ଟି ରାଷ୍ଟ୍ର କମୋଡିଟି ରପ୍ତାନିରେ ଏଭଳି କଟକଣା ଲଗାଇଛନ୍ତି । ୟୁକ୍ରେନ ଯୁଦ୍ଧ ପରଠାରୁ ରାଷ୍ଟ୍ରଗୁଡ଼ିକ ଏଭଳି ପଦକ୍ଷେପ ନେଇ ଆସୁଛନ୍ତି ।

ରାଷ୍ଟ୍ରଗୁଡ଼ିକର ଏହି ସୁରକ୍ଷାବାଦୀ ନୀତି ସ୍ଥିତିକୁ ଅତି ଖରାପ କରିଦେବ । ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟାଲିନା ଜଜିର୍ଭା ମଧ୍ୟ ଏ ପ୍ରସଙ୍ଗରେ ବାରମ୍ବାର ଚିନ୍ତା ପ୍ରକଟ କରି ଆସୁଛନ୍ତି । ଆଇଏମ୍‌ଏଫ୍‌ର ପ୍ରଥମ ଡେପୁଟି ଏମ୍‌ଡି ଗୀତା ଗୋପୀନାଥ ବି ଗୁରୁବାର ଏହା ଉପରେ ମତ ରଖିଥିଲେ । ଭାରତ ଏହାର କଟକଣାକୁ କୋହଳ କରି କିଛି ପରିମାଣର ଗହମ ରପ୍ତାନି କରିବା ପାଇଁ ଅନୁମତି ଦେଇଛି । ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ଆଇଏମ୍‌ଏଫ୍‌ ମୁଖପାତ୍ର ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭାରତ କଟକଣାକୁ ଆହୁରି କୋହଳ କରିବା ନେଇ ଆମେ ଆଶାବାଦୀ ଅଛୁ ବୋଲି ସେ କହିଛନ୍ତି । ଖାଲି ଭାରତ ନୁହେଁ ଅନ୍ୟ ଦେଶଗୁଡ଼ିକ ବି ସମାନ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରଖିଛୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସ ଭାରତ ଘରୋଇ ବଜାରରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲା । କିନ୍ତୁ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକର ଅନୁରୋଧ କ୍ରମେ ରପ୍ତାନି କଟକଣାକୁ କୋହଳ କରାଯିବ ବୋଲି ସେ ସମୟରେ କେନ୍ଦ୍ର ସରକାର ବିବୃତି ଦେଇଥିଲେ । ମେ ୧୩ ପୂର୍ବରୁ ଆସିଥିବା ରପ୍ତାନି ଅର୍ଡରଗୁଡ଼ିକୁ ପୂରଣ କରିବା ପାଇଁ ପରେ ସରକାର ସ୍ପଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.