ମୋଦୀଙ୍କ ସ୍ୱପ୍ନରେ ଆଇଏମ୍‌ଏଫ୍‌ ମୋହର, ଜାପାନ ଓ ଜର୍ମାନିକୁ ପଛରେ ପକାଇ ୨୦୪୭ ସୁଦ୍ଧା ହେବ ବିକଶିତ ରାଷ୍ଟ୍ର

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ ୧୩/୦୯: ଭାରତରେ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା । ଏହାସହିତ ଭାରତକୁ ପ୍ରଶଂସାରେ ପୋତି ଦେଇଛନ୍ତି ବିଶ୍ୱ ସମୁଦାୟ । ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ପାଲଟିଛି । ଏହାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ) ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ମାନିଛନ୍ତି ।

ଜି୨୦ ବୈଠକରେ ଭାରତର ପ୍ରସ୍ତାବଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ଦେଶ ସହମତି ଦେଇଥିବାବେଳେ ଭାରତୀୟ ଅର୍ଥନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଉପରେ ଏହି ସମ୍ମିଳନୀରେ ମୋହର ମରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ମୋଦି ସରକାରରେ ଥିବା ମନ୍ତ୍ରୀମାନେ ବିଭିନ୍ନ ସମୟରେ ଦୋହରାଇଛନ୍ତି ।

ଏଥିମଧ୍ୟରୁ ଗୋଟିଏ ହେଉଛି ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇବ ଏବଂ ଆଗାମୀ ୫ ବର୍ଷରେ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । ଆଜି ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ବେଗରେ ଏ ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢୁଛି । ଏବେ ବିଶ୍ୱର ବଡ଼ ବଡ଼ ବିତ୍ତୀୟ ଏଜେନ୍ସିଗୁଡ଼ିକ ଏଥିରେ ମୋହର ଲଗାଇଲେଣି ।

wp:embed {"url":"https://www.prameyanews7.com/china-cracks-down-on-cheap-steel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/china-cracks-down-on-cheap-steel/
/wp:embed

ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ଆଇଏମ୍‌ଏଫ୍‌ର ଡେପୁଟି ଏମ୍‌ଡି ଭାରତୀୟ ବଂଶୋଦ୍ଭବ ଗୀତା ଗୋପୀନାଥ କହିଛନ୍ତି ଯେ, ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ହେବ ଭାରତ, ଏହି ବିବୃତିକୁ ଅଣଦେଖା କରାଯାଇପାରିବ ନାହିଁ । ଗୀତା ଗୋପୀନାଥ କହିଛନ୍ତି ଯେ, ୨୦୨୭-୨୮ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ହେବ । ସେ ଆହୁରି କହିଛନ୍ତି ଯେ, ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱ ଅଭିବୃଦ୍ଧିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

ବିଶ୍ୱ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୫% ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଗୋପୀନାଥ କହିଛନ୍ତି । ତେବେ ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଶ୍ରମ ବଜାରରେ ସୁଧାର, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ଉନ୍ନତି, ଶିକ୍ଷାର ଗୁଣବତ୍ତା ଏବଂ ମହିଳା ଶ୍ରମବଳଙ୍କ ଯୋଗଦାନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଗୋପୀନାଥଙ୍କ ଅନୁସାରେ, ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଅଙ୍କ ଆସୁଛି ତାହାର ବିଶ୍ୱସନୀୟତା ଉପରେ ସନ୍ଦେହ କରାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ସନ୍ତୋଷଜନକ ଗତିରେ ଆଗକୁ ବଢୁଛି । ଚଳିତ ଆର୍ଥିକବର୍ଷ ପାଇଁ ୬% ଅର୍ଥନୈତିକ ଅଭିବୃଦ୍ଧି ଅନୁମାନ କରି ଗୋପୀନାଥ କହିଛନ୍ତି ଯେ, ବିକାଶର ଉଚ୍ଚ ସ୍ତରକୁ ବଜାୟ ରଖିବା ଏବଂ ଘରୋଇ ନିବେଶକୁ ଆକର୍ଷିତ କରିବା ପାଇଁ ଢ଼ାଞ୍ଚାଗତ ସୁଧାର ଲୋଡ଼ା ।

ଭାରତର ଅଗ୍ରଗତିକୁ ଖାଲି ଗୀତା ଗୋପୀନାଥ ନୁହେଁ, ବିଶ୍ୱବ୍ୟାପୀ ଏଜେନ୍ସିଗୁଡ଼ିକ ସ୍ୱୀକାର କରିଛନ୍ତି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା ଏହା ପୂର୍ବରୁ ହିଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଯେଉଁ ଅନୁମାନ କରାଯାଇଛି, ଉକ୍ତ ଅନୁସାରେ ଭାରତ ୨୦୨୭ରେ ଜାପାନ ଏବଂ ଜର୍ମାନି ଭଳି ଦେଶକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ ।

୨୦୧୪ରୁ ୨୦୨୩ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ଅନେକ ସଫଳତା ହାସଲ କରିଛି । ୨୦୧୪ରେ ଭାରତ ବିଶ୍ୱର ଦଶମ ବୃହତ୍‌ ଅର୍ଥବ୍ୟବସ୍ଥା ଥିଲା । ଆଜି ଏହା ପଞ୍ଚମ ସ୍ଥାନରେ ରହିଛି । କରୋନାକାଳରେ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାଗୁଡ଼ିକ ମୁହଁମାଡି ପଡ଼ିଥିବାବେଳେ ଭାରତୀୟ ଅର୍ଥନୀତି ଏହି ପ୍ରକୋପରୁ ବାହାରକୁ ବାହାରି ଦ୍ରୁତ ବେଗରେ ଆଗକୁ ବଢ଼ିଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.