ଭୁବନେଶ୍ବର ୧।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିବଳୟ ଶୁକ୍ରବାର ଅବପାତର ରୂପ ନେଇଛି । ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଶନିବାର ଏହା ତୀବ୍ର ଅବପାତର ରୂପ ନେବ ଏବଂ ସନ୍ଧ୍ୟାରେ ନେବ ବାତ୍ୟାର ରୂପ । ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଟ୍ରାକ୍ ଅନୁଯାୟୀ ଏହା ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଷି ହୋଇ ସମାନ୍ତରାଳ ଗତିରେ ଯିବ । ୫ ତାରିଖରେ ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ରେ ଉପକୂଳ ସ୍ପର୍ଶ କରିବ । ଏହାର ପ୍ରଭାବରେ ତାମିଲନାଡୁର ଚେନ୍ନାଇ ରାମେଶ୍ବରମରେ ବର୍ଷା ଆରମ୍ଭ ହୋଇଗଲାଣି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହି ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଆନ୍ଧ୍ର ପ୍ରଦେଶରେ ଘଣ୍ଟାକୁ ଶହେ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ ଓ ପ୍ରବଳ ବର୍ଷା ହୋଇପାରେ ।
ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବା ସମ୍ଭାବନା ରହିଛି । ୩ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ୪ ତାରିଖରୁ ବର୍ଷା ବଢ଼ିବ, ୬ ତାରିଖରେ ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡିବ । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ୧୭ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଉଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ମଧ୍ୟ ରହିଛି ।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
You Can Read :
wp:embed {"url":"https://www.prameyanews7.com/storm-is-brewing-in-the-bay-of-bengal/","type":"wp-embed","providerNameSlug":"prameya-news-7"} /wp:embed