ILSର ଗବେଷଣା, ସମୁଦ୍ର କୂଳିଆ ଲୁଣିପାଣି ଅଞ୍ଚଳରେ ହୋଇ ପାରିବ ଧାନ ଏବଂ ଅନ୍ୟାନ୍ୟ ଚାଷ

Published By : Prameya-News7 Bureau | July 14, 2021 IST

ଖଲିକୋଟ, ୧୪/୦୭: ସମୁଦ୍ର କୂଳିଆ ଲୁଣିପାଣି ଅଞ୍ଚଳରେ ହୋଇ ପାରିବ ଧାନ ଏବଂ ଅନ୍ୟାନ୍ୟ ଚାଷ । ଏହି ଅଞ୍ଚଳରେ ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ଫିଟିଛି ବାଟ । ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ବା ILS ଏନେଇ ଗବେଷଣା କରିଛି । ହେନ୍ତାଳ ଗଛର ଜେନୋମ ସିକ୍ୟୁଏନ୍ସରୁ ILSକୁ ମିଳିଛି ବଡ଼ ସଫଳତା । ହେନ୍ତାଳ ଗଛ ଜିନ୍‌ରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି ହେବ । ଉପକୂଳର ଚାଷୀମାନେ ଏନେଇ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।

ଲୁଣି ପାଣି ଅଞ୍ଚଳରେ ହୋଇ ପାରିବ ଧାନ ଚାଷ। ଯେଉଁ ଅଞ୍ଚଳରେ ସମୁଦ୍ର ପାଣି ମାଡ଼ି ଆସେ ସେ ଅଞ୍ଚଳରେ ମଧ୍ୟ ଧାନ ସହ ଅନ୍ୟାନ୍ୟ ଫସଲ ହୋଇ ପାରିବ । ଏନେଇ Institute of Life Science ଗବେଷଣା କରିଛି । ସମୁଦ୍ରକୂଳରେ ବଢୁଥିବା ହେନ୍ତାଳ ବଣକୁ ଦେଖିବା ପରେ ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ସଂସ୍ଥା ଏହା ଉପରେ ଗବେଷଣା ଆରମ୍ଭ କରିଥିଲା । ଲୁଣି ପାଣିରେ କେମିତି ହେନ୍ତାଳ ଗଛ ବଢ଼ୁଛି ସେନେଇ ଜେନୋମ ସିକ୍ୟୁଏନ୍ସ କରାଯାଇଥିଲା । ଯେଉଁଥିରୁ ମିଳିଛି ଉତ୍ତର ।

ହେନ୍ତାଳ ଗଛକୁ ନେଇ ଅନେକ କିଛି ଗବେଷଣା ହୋଇପାରିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ହେନ୍ତାଳ ଗଛ ଜିନ୍‌ର ଗବେଷଣାରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି କରାଯାଇପାରିବ । ଏହି ବିହନର ଲୁଣି ପାଣି ସହିବାର କ୍ଷମତା ରହିବ । ଓଡ଼ିଶାରେ ୪୮୦ କିଲୋମିଟର ଲମ୍ବ ସୁଦୀର୍ଘ ଉପକୂଳ ରହିଛି । ସମୁଦ୍ର ପାଣି ମାଡି ଆସିବା ଯୋଗୁ ଏହି ଅଞ୍ଚଳରେ ପ୍ରତିବର୍ଷ ଶହ ଶହ ହେକ୍ଟର ଚାଷ ନଷ୍ଟ ହେଉଛି । ତେଣୁ ଆଇଏଲଏସର ନୂଆ ଗବେଷଣା ଭବିଷ୍ୟତରେ ଚାଷୀଙ୍କୁ ଆଶ୍ବସ୍ତି ଦେବ । ଧାନ ସହ ଅନ୍ୟ ଫସଲ ଉତ୍ପାଦନ କରିବାରେ ସହାୟକ ହେବ । ହୋନ୍ତାଳ ଗଛର ବିଭିନ୍ନ କିସମକୁ ନେଇ ଗବେଷଣା କରାଯାଇଛି । ୯୮.୭ ପ୍ରତିଶତ ଜିନୋମ ସିକ୍ୟୁଏନ୍ସ କରିବାରେ ସଫଳ ହୋଇଛି ଆଇଏଲଏସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.