ଦୁର୍ନୀତିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଅସନ୍ତୁଷ୍ଟ ଟ୍ରକ ମାଲିକ

Published By : Prameya-News7 Bureau | July 19, 2021 IST

କେନ୍ଦୁଝର, ୧୯/୦୭: କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ପରିଚାଳନାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଅଜି ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାର ଶହ ଶହ ଟ୍ରକ ମାଲିକ ଦୁର୍ନୀତି ସଂକ୍ରାନ୍ତରେ ଜଣାଇଛନ୍ତି । କେନ୍ଦୁଝର ଟ୍ରକ ମାଲିକ ସଙ୍ଘ ରାଜ୍ୟରେ ବିତ୍ତଶାଳୀ ଟ୍ରକ ସଙ୍ଘ ରୂପେ ବେଶ ପରିଚିତ । ଏହି ଟ୍ରକ ସଂଘରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ସୁଦ୍ଧା ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନାହିଁ  ଜିଲ୍ଲା ପ୍ରଶାସନ  ।

ଗତ କିଛିଦିନ ହେଲା ରାମଚନ୍ଦ୍ରପୁର ଜୋନର କର୍ମକର୍ତ୍ତାଙ୍କୁ ଆସୋସିଏସନ ପକ୍ଷରୁ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି । ସଙ୍ଘ ପକ୍ଷରୁ ଉକ୍ତ ଜୋନର ଟ୍ରକ ମାଲିକଙ୍କୁ ଟୋକନ ଦେବାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି କର୍ମକର୍ତ୍ତା । ଏନେଇ ଆଜି ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଙ୍ଘର କିଛି କର୍ମକର୍ତ୍ତା ନିଜସ୍ୱ ଲାଭଖୋର ମନବୃତ୍ତି ପାଇଁ ଶହ ଶହ ଗାଡି ମାଲିକଙ୍କ ପେଟରେ ଲାତ ମାରି ନିଜେ ମାଲାମାଲ ହେଉଛନ୍ତି । ଫଳରେ ଅନେକ ଗାଡି ମାଲିକ ଲୋଡିଂ ନପାଇ ହଇରାଣ ହେଉଛନ୍ତି । ଲୋନ କରି ଟ୍ରକ କରିଥିବା ମାଲିକ ଏବେ ପରିବାରର ପେଟ ପାଟଣା ଚିନ୍ତାରେ ।

ଏହି ସବୁ ସମାସ୍ୟା ନେଇ  ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ସଂଘର କିଛି ସଦସ୍ୟ ଓ କର୍ମକର୍ତ୍ତା । ପରେ ଆରକ୍ଷୀ ଅଧିକ୍ଷକ ଓ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ଯାଇ ଅଭିଯୋଗ ପତ୍ର ଦେଇଥିଲେ । ଆଗାମୀ ଦିନରେ ସଙ୍ଘ କର୍ମକର୍ତ୍ତା ପାତର ଅନ୍ତର ମନବୃତି ଛାଡି ମାଲିକଙ୍କ ସ୍ୱାର୍ଥକୁ ଯଦି ପ୍ରଧାନ୍ୟ ନଦେବେ ଶତାଧିକ ମାଲିକ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.