ନୋଟିସ୍ ପରେ ବି ବେଖାତିର, ଏନ୍ଏଚ୍ ୧୬ରୁ ବେଆଇନ ଜବରଦଖଲ ଉଚ୍ଛେଦ
24/04/2023 at 4:00 PM

ଚୌଦ୍ବାର ୨୪।୪: କଟକ ଜିଲ୍ଲା ପ୍ରଶାସନ ଓ ଏନଏଚଏଆଇ କର୍ତ୍ତୃପକ୍ଷ ନେଲେ କଡା ଆଭିମୁଖ୍ୟ । ୧୬ ନଂ ଜାତୀୟ ରାଜପଥ ବିରୂପାଠାରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବେଆଇନ ଭାବରେ ଗଢି ଉଠିଥିବା ଛୋଟ ବଡ ଦୋକାନଗୁଡିକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି ।

ବାରମ୍ବାର ଡାକବାଜି ଯନ୍ତ୍ର ଓ ନୋଟିସ ଦ୍ୱାରା ସୂଚାଇ ଥିଲେ ମଧ୍ୟ ଏହାକୁ ଖାତିର କରୁନଥିଲେ ଜବର ଦଖଲକାରୀ । ସୋମବାର କଟକ ଜିଲ୍ଲା ପ୍ରଶାସନ, ଏନଏଚଏଆଇ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସ ଏନଏଚଏଆଇ ଠିକା ସଂସ୍ଥା ଏସ୍ଜେଇପିଏଲର ମିଳିତ ଉପସ୍ଥିତିରେ ଜବରଦଖଲରେ ଥିବା ଦୋକାନଗୁଡିକୁ ଉଚ୍ଛେଦ କରାଯାଇଛି ।

ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ୧୬ନଂ ଜାତୀୟ ରାଜପଥରେ ଜବରଦଖଲ ଦ୍ୱାରା ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ଉଚ୍ଛେଦ ପ୍ରକ୍ରିୟା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଗାମୀ ଦିନରେ ୧୬ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ସହିତ ସୌନ୍ଦର୍ଯ୍ୟକରଣ କରାଯିବା ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।