ବେଆଇନ ନିଯୁକ୍ତି ମାମଲା; ପଶ୍ଚିମବଙ୍ଗର ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ୪ ଘଣ୍ଟା ପଚରାଉଚୁରା କଲା ସିବିଆଇ
22/05/2022 at 7:00 PM

କୋଲକାତା ୨୨/୦୫ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପଶ୍ଚିମବଙ୍ଗର ମନ୍ତ୍ରୀ ପରେଶ ଅଧିକାରୀଙ୍କୁ ତାଙ୍କ ଝିଅ ଅଙ୍କିତାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ ବେଆଇନ ନିଯୁକ୍ତି ମାମଲାରେ ଲଗାତାର ତୃତୀୟ ଦିନ ପଚରାଉଚୁରା କରିଛନ୍ତି। ମନ୍ତ୍ରୀଙ୍କୁ ପାଖାପାଖି ଚାରି ଘଣ୍ଟା ପଚରା ଉଚୁରା କରାଯାଇଥିଲା। ସିବିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
କୋଲକାତା ହାଇକୋର୍ଟ ଗତ ଶୁକ୍ରବାର ଦିନ ଅଙ୍କିତାଙ୍କୁ ଚାକିରିରୁ ବହିଷ୍କୃତ କରିବା ସହିତ ୪୧ ମାସର ଦରମା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ଶିକ୍ଷା ରାଜ୍ୟ ମନ୍ତ୍ରୀ ପରେଶ ଅଧିକାରୀ ଆଜି ପୂର୍ବାହ୍ଣ ୧୦: ୩୫ ରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ହାତରେ ଏକ ଫାଇଲ ଥିଲା। ଏହି ଫାଇଲରେ ତାଙ୍କ ଝିଅର ନିଯୁକ୍ତି ସମ୍ବନ୍ଧରେ ମହତ୍ୱ ପୂର୍ଣ୍ଣ କାଗଜ ପତ୍ର ଥିଲା ବୋଲି ବିଶେଷ ସୂତ୍ରରୁ ଦାବୀ କରାଯାଇଛି।
ସିବିଆଇର ଜଣେ ଅଧିକାରୀଙ୍କ ଅନୁସାରେ ମନ୍ତ୍ରୀଙ୍କୁ ତାଙ୍କ ଫୋନ କଲ୍ ସମ୍ୱନ୍ଧରେ ପଚରାଉଚୁରା କରା ଯାଇପାରେ ଯାହାକି ଅଙ୍କିତାର ନିଯୁକ୍ତି ପାଇଁ ସେ କରିକଥିଲେ। ସିବିଆଇର ଜଣେ ଅଧିକାରୀ କହିଛନ୍ତି ‘’ଏହି ଫୋନ୍ କଲ୍ର ସମ୍ପର୍କ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଝିଅର ସହାୟକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ସହିତ ଥାଇପାରେ। ଗତକାଲି ଭଳି ଆମେ ପଚରାଉଚୁରା ସମୟରେ ପୁରା ଭିଡିଓଗ୍ରାଫି କରିବୁ’’।