ଆକ୍ସନମୋଡ୍ରେ ଜିଲ୍ଲାପାଳ; ବନ୍ଦକଲେ ବେଆଇନ୍ ବାଲି ଖାଦନ
6/01/2023 at 10:18 AM

ଖଣ୍ଡପଡ଼ା ୦୬/୦୧: ଖଣ୍ଡପଡ଼ାରେ ବାଲି ଓ ପଥର ମାଫିଆଙ୍କ ପାଦୁର୍ଭାବ ଧିରେ ଧିରେ ବଢିବାରେ ଲାଗିଛି। ତହସିଲ ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଲୁଟ୍ ହେଉଥିଲା। ଏହି କ୍ରମରେ ଖଣ୍ଡପଡ଼ାରେ ଥିବା ସିଦ୍ଧାମୂଳା ବାଲି ଘାଟ ସାମିଲ୍ ଥିଲା। ସିଦ୍ଧାମୂଳା ବାଲି ଘାଟରୁ ଚୋରା ବାଲି ଚାଲାଣରେ ସ୍ଥାନୀୟ ତହସିଲଦାର ପାର୍ଥ ସାରଥି ହାଁସଦାଙ୍କ ହାତ ଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ବାରମ୍ୱାର ଅଭିଯୋଗ ହେଉଥିଲା।
ଫଳରେ ଆକ୍ସନ ମୋଡ୍କୁ ଆସିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ସେ ବାଲି ଘାଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବେଆଇନ ଚୋରା ବାଲି ଚାଲାଣ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି। ଏନେଇ ତହସିଲଦାର ହାଁସଦାଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି। ସେପଟେ ବାଲିଘାଟକୁ ପୁରା ବନ୍ଦ କରିବା ସହ ତହସିଲଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସିଦ୍ଧାମୂଳା ଗାଁ ଲୋକ ଦାବି କରିଛନ୍ତି।
ଖବର ଅନୁସାରେ, ଏହି ବାଲିଖାଦନ ପୂର୍ବରୁ ଲିଜ ଦିଆଯାଇଥିଲେ ମଧ୍ୟ ଗତ ମାସରୁ ଲିଜ ଅବଧି ସରିଯାଇଛି। କିନ୍ତୁ ବାଲି ମାଫିଆମାନେ ପ୍ରଶାସନକୁ ବେଖାତିର କରି ପ୍ରତିଦିନ ଟ୍ରିପ ଟ୍ରିପ ବାଲି ବେଧଡ଼କ ଚୋରି କରୁଥିବା ଅଭିଯୋଗ ହେଉଛି। ଖଣ୍ଡପଡ଼ା ତହସିଲଦାର୍ ବାଲି ମାଫିଆମାନଙ୍କୁ ଆହେତୁକ ଅନୁକମ୍ପା ଦେଖାଉଥିବାରୁ ହନ୍ତସନ୍ତ ସିଦ୍ଧାମୂଳା ଗାଁ ଲୋକମାନେ ହେଉଥିଲେ।