ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍ଡ ଆଲମ୍ନସ୍ ସମ୍ମାନ, ସମ୍ବର୍ଦ୍ଧିତ କଲେ ଆଇଆଇଟି ଖଡ଼ଗପୁର ନିର୍ଦ୍ଦେଶକ
29/12/2022 at 11:10 AM

ଭୁବନେଶ୍ୱର ୨୯।୧୨ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡ଼ଗପୁର ପକ୍ଷରୁ ଡିଷ୍ଟିଙ୍ଗୁଇସ୍ଡ ଆଲମ୍ନସ ସମ୍ମାନ ପ୍ରଦାନ କରାଯାଇଛି । ନିକଟରେ ଆଇଆଇଟି ଖଡ଼ଗପୁରର ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରଫେସର ନାୟକ ଅନୁପସ୍ଥିତ ଥିବାରୁ ଏହି ପୁରସ୍କାର ଗ୍ରହଣ କରିପାରି ନଥିଲେ । ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ଭି. କେ. ତିୱାରି ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା
ବେଳେ ପ୍ରଫେସର ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଶ୍ରୀ ତିୱାରି ପ୍ରଫେସର ନାୟକଙ୍କୁ ମାନପତ୍ର, ସ୍ୱର୍ଣ୍ଣପଦକ ସହ ଉପଢ଼ୌକନ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ କହିଛନ୍ତି, ଏଭଳି ସମ୍ମାନ ଗ୍ରହଣ କରି ଆଇଆଇଟି ଖଡ଼ଗପୁର ନିକଟରେ କୃତଜ୍ଞ । ମେଡିସିନ, ଇଞ୍ଜିନିୟରିଂ ଭଳି ଅନ୍ୟ ପ୍ରମୁଖ କ୍ଷେତ୍ରରେ ‘ସୋଆ’ର ଉନ୍ନତ ଭିତ୍ତିଭୂମି ରହିଛି । ଆଇଆଇଟି ଖଡ଼ଗପୁର ସହ ମିଳିତ ସହଭାଗିତା ନେଇ ଆଶାବାଦି । ଶ୍ରୀ ତିୱାରୀ କହିଛନ୍ତି, ଆଇଆଇଟି ଖଡ଼ଗପୁରର ଅଦ୍ୟାବଧି ୭୦ ହଜାର ଆଲମ୍ନି ଦେଶବିଦେଶରେ ନିଜର ଉଲ୍ଲେଖନୀୟ ଯୋଗଦାନ ରଖୁଛନ୍ତି ।
ପ୍ରଫେସର ନାୟକ ବହୁ ସଂଘର୍ଷ ସହ ଗୋଟିଏ ଇଞ୍ଜିନିୟରିଂ ପ୍ରତିଷ୍ଠାନରୁ ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି । ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ଭାବେ ଶିକ୍ଷା କ୍ଷେତ୍ରକୁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଲାଗି ତାଙ୍କୁ ସମ୍ମାନିତ କରି ଅତ୍ୟନ୍ତ ଖୁସି । ତାଙ୍କର ସଂଘର୍ଷ ଯାତ୍ରା ଅନ୍ୟମାନଙ୍କ ପାଇଁ ଉଦାହରଣ । ଶିକ୍ଷା ଓ ଅନୁସନ୍ଧାନର ସଫଳତା ଧାରା ପ୍ରଶଂସାଯୋଗ୍ୟ । ଆମେ ଏହି ବିଶ୍ୱବିଦ୍ୟାଳୟ ସହ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ମିଳିତ ହୋଇ କାମ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବୁ । ଏହା ଉଭୟ ଅନୁଷ୍ଠାନ ଲାଗି ଲାଭକାରୀ ହେବ ବୋଲି ଶ୍ରୀ ତିୱାରି କହିଛନ୍ତି ।