ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ IIT ଖଡ଼ଗପୁର ପକ୍ଷରୁ ସମ୍ମାନଜନକ ବିଶିଷ୍ଠ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ
24/12/2022 at 9:06 PM

ଭୁବନେଶ୍ୱର ୨୪/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ୨୦୨୨ ପାଇଁ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଶନିବାର ସମ୍ମାନଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି। ଡିସେମ୍ବର ୨୪(ଶନିବାର)ରେ ଆୟୋଜିତ ହୋଇଥିବା ଆଇଆଇଟି ଖଡ଼ଗପୁରର ୬୮ ତମ ସମାବର୍ତ୍ତନ ଉତ୍ସବରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ତାଙ୍କ ଅନୁପସ୍ଥିତିରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ନାୟକଙ୍କ ପାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ।“ଆପଣ ଶିକ୍ଷାଗ୍ରହଣ କରିଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।
ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ ହୋଇଥିବା ପ୍ରଫେସର ନାୟକ ରାଉରକେଲାରେ ଥିବା ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ବର୍ତମାନର ଏନ୍ଆଇଟି) ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିବାବେଳେ ଆଇଆଇଟି ଖଡଗପୁରରୁ କମ୍ପ୍ୟୁଟର ସାଇନ୍ସରେ ଏମ୍.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରୁ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ। ପୂର୍ବରୁ ପ୍ରଫେସର ନାୟକଙ୍କୁ ଏନ୍ଆଇଟି, ରାଉରକେଲା ମଧ୍ୟ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ କରିଛି।
ଓୟୁଏଟିରୁ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ପରେ ସେ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠା କରି ଧିରେ ଧିରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବୃତିଗତ ଶିକ୍ଷାନୁଷ୍ଠାନ ସ୍ଥାପନ କରିଥିଲେ। ସୋଆ ବିଶ୍ୱବିଦ୍ୟାଳୟ ଅଧୀନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍ସେସ୍, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ଡେନ୍ଟାଲ ସାଇନ୍ସେସ୍, ମ୍ୟାନେଜମେଂଟ ସାଇନ୍ସେସ୍, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ ନର୍ସିଂ, ଲିଗାଲ୍ ଷ୍ଟଡିଜ୍, ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଓ ଭେଟେରୀନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବେନ୍ଡାରୀ ଭଳି ଅନୁଷ୍ଠାନ ସ୍ଥାପିତ ହୋଇ ଶିକ୍ଷା ପ୍ରଦାନ କରୁଛି।
ସୋଆରେ ବିଦେଶୀ ଛାତ୍ରଙ୍କ ସହିତ ପ୍ରାୟ ୧୫,୦୦୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ସୋଆ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ରାଙ୍କିଙ୍ଗ ଫ୍ରେମ୍ ୱାର୍କ( ଏନ୍ଆଇଆରଏଫ୍) ୨୦୨୨ରେ ସାରା ଦେଶରେ ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନିତ ହୋଇଛି ।