ଆଇଆଇଟି ଖଡ଼ଗପୁରର ୬୮ତମ ସମାବର୍ତ୍ତନ ଉତ୍ସବ, ସୋଆ ପ୍ରତିଷ୍ଠାତା ପାଇବେ ଡିଷ୍ଟିଙ୍ଗୁଇସ୍ଡ ଆଲୁମ୍ନସ୍ ଆୱାର୍ଡ
24/12/2022 at 7:51 AM

ଭୁବନେଶ୍ୱର ୨୪।୧୨ : ଆଇଆଇଟି ଖଡ଼ଗପୁରର ୬୮ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ । ଏଥିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସମ୍ମାନିତ ଅତିଥି ଏବଂ ଆଇଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସିଂ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଡିଷ୍ଟିଙ୍ଗୁଇସ୍ଡ ଆଲୁମ୍ନସ୍ ଆୱାର୍ଡ (ସୁନାମଧନ୍ୟ ପୁରାତନ ଛାତ୍ର) ସମ୍ମାନ ପ୍ରଦାନ କରାଯିବ ।
ପ୍ରଫେସର ନାୟକ ୧୯୮୯ ମସିହାରେ ଏହି ସମ୍ମାନଜନକ ପ୍ରତିଷ୍ଠାନରେ ଏମ୍.ଟେକ୍ ଡିଗ୍ରୀ ହାସଲ କରିଥିଲେ । ଏଥି ସହ କର୍ପୋରେଟ୍/ସରକାରୀ ଓ ଉଦ୍ୟୋଗୀ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଅନ୍ୟ ୭ ଜଣ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରାଯିବ । ଏହି ପୁରାତନ ଛାତ୍ରମାନେ ଆଇଆଇଟିକୁ ଗର୍ବିତ କରିଛନ୍ତି ବୋଲି ଏହାର ମୁଖପାତ୍ର କହିଛନ୍ତି । ଏଥିସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ବ୍ରିଜ୍ କେ. ଧିଣ୍ଡ୍ସାଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ। ପ୍ରଫେସର ଧିଣ୍ଡ୍ସା ୧୯୬୬ରୁ ୨୦୦୯ ପର୍ଯ୍ୟନ୍ତ ଆଇଆଇଟିର ମେଟାଲର୍ଜିକାଲ୍ ଆଣ୍ଡ ମାଟେରିଆଲ୍ ଇଞ୍ଜିନିୟରିଂ ବିଭାଗରେ ଫାକଲ୍ଟି ଭାବେ କାର୍ଯ୍ୟ କରିଥିଲେ ।