ଆଇଫାକୁ ନାଁ କହିଲେ ଶିବରାଜ, କୋଭିଡ ପ୍ରଭାବରେ ଆୟୋଜନ କଷ୍ଟକର ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବଦଳାଇଲେ ଆଭିମୁଖ୍ୟ
2/10/2020 at 6:00 PM

ଭୋପାଳ ୦୨/୧୦: ବଲିଉଡର ପ୍ରସିଦ୍ଧ ଆଓ୍ବାର୍ଡ ଶୋ’ ଆଇଫାକୁ ନାଁ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ। ସେ ଆଇଫା ଆଓ୍ବାର୍ଡକୁ ନେଇ ବଡ଼ ବୟାନ ରଖିଛନ୍ତି। ଏଥର ମଧ୍ୟପ୍ରଦେଶରେ ଆଇଫା ଆଓ୍ବାର୍ଡ ଆୟୋଜନ ହେବ ନାହିଁ ବୋଲି ସେ କହିଛନ୍ତି। ଶିବରାଜଙ୍କ ମତରେ ତାଙ୍କୁ ତାମସା ପସନ୍ଦ ନୁହେଁ। ଏହା ସହ ସେ ପୂର୍ବତନ କମଲନାଥ ସରକାରଙ୍କୁ ପଚାରିଛନ୍ତି ଆଇଫା ନାଁରେ କାହା କାହା ଠାରୁ ଟଙ୍କା ଆଦାୟ କରିଥିଲେ।
ଶିବରାଜ କହିଛନ୍ତି ଆଇଫାର କ’ଣ ଆବଶ୍ୟକତା ଅଛି। ଏ ସମୟରେ କରୋନା ବ୍ୟାପିଛି। ଆଇଫା ଭଳି ତମାସାକୁ ସେ ପସନ୍ଦ କରୁ ନ ଥିବା ରୋକ ଠୋକ ମନା କରିଛନ୍ତି। କିନ୍ତୁ ତାଙ୍କୁ ଜାଣିବାକୁ ମିଳିଛି ଯେ ଅନେକ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରାଯାଇଛି। ଗୋଟିଏ କମ୍ପାନିରୁ ଖବର ଆସିଛି ଯେ ଆଇଫା ନାଁରେ ତାଙ୍କ ଠାରୁ ୪ କୋଟି ଟଙ୍କା ନିଆଯାଇଛି । ଏହା ସହ ଅନ୍ୟ କାହାଠାରୁ ଟଙ୍କା ଆଦାୟ କରାଯାଇଛି ସେ ବିଷୟରେ ଜାଣିବା ଦରକାର। ଏ ପ୍ରକାର କାର୍ଯ୍ୟ ଠିକ୍ ନୁହେଁ କହିଛନ୍ତି ଶିବରାଜ। ଯଦି କିଛି ନେବାର ଅଛି କରୋନା ପାଇଁ କି ଅନ୍ୟ କିଛି କାରଣ ପାଇଁ ନିଅ। କିନ୍ତୁ ଆଇଫା ହେବ ନାହିଁ। ଆଇଫା ତମାସାର ଆବଶ୍ୟକତା ଏବେ କିଛି ନାହିଁ।
କମଲନାଥ ସରକାର କାଳରେ ୨୦୨୦ ଆଇଫା ଆୟୋଜନ ମଧ୍ୟପ୍ରଦେଶରେ ହେବାର ଥିଲା। ମାର୍ଚ ୨୭ରୁ ୨୯ ମଧ୍ୟରେ ହୋଇଥାନ୍ତା। ଏହି କାର୍ଯ୍ୟକ୍ରମ ଦିନେ ଭୋପାଳ ଓ ବାକି ଦିନ ଇନ୍ଦୋରରେ ହୋଇଥାନ୍ତା। ଯେଉଁଥିରେ ପ୍ରାୟ ୪୦୦ରୁ ଅଧିକ ଫିଲ୍ମ କଳାକାରଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପାଞ୍ଚ ହଜାର ଲୋକ ସାମିଲ ହୋଇଥାନ୍ତେ। ଏପରିକି ଏହାର ଆୟୋଜନ ପାଇଁ ନେହରୁ ଷ୍ଟାଡିୟମ ଠିକ୍ ହୋଇଯାଇଥିଲା।