ଏସ୍‌ଆଇ ସ୍ୱାଗତିକା ଅତ୍ମହତ୍ୟା ଘଟଣା: ଥାନା ଅଧିକାରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି, ଧାରଣାରେ ପରିବାର

Published By : Prameya-News7 Bureau | August 28, 2022 IST

ଜି. ଉଦୟଗିରି, ୨୮/୦୮: କନ୍ଧମାଳ ଜି. ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ଥାନା ଅଧିକାରୀ ରେବତୀ ଶବରଙ୍କୁ ଫୁଲବାଣୀ ହେଡ କ୍ବାର୍ଟରକୁ ବଦଳି କରାଯାଇଥିବା ସୂଚନା ମିିଳିଛି ।

ଅନ୍ୟପଟେ ସ୍ୱାଗତିକାଙ୍କୁ ଅମାନୁଷିକ ଅତ୍ୟାଚାର କରାଯାଇଥିବା ଅଭିଯୋଗ ସହ ନ୍ୟାୟ ପାଇଁ ପରିବାର ଲୋକ ଧାରଣାରେ ବସିଛନ୍ତି । ଧାରଣା ଯୋଗୁଁ ୨୪ ଘଣ୍ଟା ପରେ ମଧ୍ୟ ମୃତଦେହ ବ୍ୟବଚ୍ଛେଦ ହୋଇପାରନାହିଁ । ସ୍ବାଗତିକାଙ୍କୁ ନ୍ୟାୟ ଦାବିରେ ପରିବାର ଲୋକ ଜି ଉଦୟଗିରି ଥାନା ଆଗରେ ସପରିବାରେ ବର୍ଷା ସତ୍ବେ ଧାରଣାରେ ବସିରହିଛନ୍ତି । ପୋଲିସ ବୁଝାସୁଝା କରି ବିଫଳ ହେବା ପରେ ଘଟଣାସ୍ଥଳରେ ଏସପିଙ୍କ ସହ ଏସଡିପିଓ ଓ ତହସିଲଦାର ପହଞ୍ଚି ବୁଝାସୁଝା କରୁଛନ୍ତି । ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବର ହିଁ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ ମୃତ ଏସ୍ଆଇଙ୍କ ମା । ରେବତୀ ଶବରଙ୍କୁ ବହିଷ୍କାର ସହ ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ମୃତଦେହ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ନେବୁ ନାହିଁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା ଓ ଭାଇ ଚିତ୍ତରଞ୍ଜନ ବେହେରା ଓ ମନୋରଞ୍ଜନ ବେହେରା । ନ୍ୟାୟ ନମିଳିଲେ ସପରିବାର ଥାନା ଆଗରେ ଆତ୍ମହୁତି ଦେବୁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମତେ ଏ ବିଷୟରେ ସ୍ୱାଗତିକା କେବେ ଅଭିଯୋଗ କରିନାହାନ୍ତି । ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ଜି.ଉଦୟଗିରି ଏସଡିପିଓ ବି.ତିରୁପତି ରାଓ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.