ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନରେ ପୋଲାଣ୍ଡର ଇଗା ସ୍ଵିୟାତେକଙ୍କ ରାଜ। ୨୦୨୪ର ମହିଳା ଏକକ ଫାଇନାଲରେ ବିଶ୍ଵର ଏକ ନମ୍ବର ଖେଳାଳି ଇଗା ସ୍ଵିୟାତେକ ୧୨ମ ସିଡ୍ ପ୍ରାପ୍ତ ଇଟାଲୀର ଜସ୍ମିନ ପାଓଲିନିଙ୍କୁ ଲଗାତାର ୬-୨, ୬-୧ ସେଟ୍ରେ ହରାଇଛନ୍ତି। ହ୍ୟାଟ୍ରିକ ଅର୍ଜନ କରିବା ସହିତ ସେ ଚତୁର୍ଥ ଥର ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଛନ୍ତି। ସେ ୨୦୨୦, ୨୦୨୨ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲେ। ଅନ୍ୟପଟେ ପାଓଲିନୀ ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମର ଫାଇନାଲ୍ରେ ପହଞ୍ଚିଥିଲେ। ହେଲେ ଏହି ଯୁବ ଖେଳାଳିଙ୍କୁ ସ୍ଵିୟାତେକଙ୍କ ହାତରୁ ପରାସ୍ତ ହେବାକୁ ପଡ଼ିଛି।
ପ୍ରଥମ ସେଟ୍ ଜିତିବା ପରେ ସ୍ଵିୟାତେକ ଦ୍ଵିତୀୟ ସେଟ୍ରେ ବି ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ମ୍ୟାଚ୍ ଆଗକୁ ବଢିବା ସହିତ ସ୍ଵିୟାତେକ୍ ଅଧିକ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ସେ ପାଓଲିନୀଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଫଳରେ ସ୍ଵିୟାଟେକ ଗେମକୁ ୬-୨, ୬-୧ର ଜିତି ନେଇଛନ୍ତି।
ଏହା ପୂର୍ବରୁ ସ୍ଵିୟାତେକ ୨୦୨୨ରେ ୟୁଏଏସ ଓପନ ଟାଇଟଲ୍ ଜିତିଥିଲେ। ହେଲେ ଏହି ଚାମ୍ପିଅନ ଖେଳାଳିଙ୍କ ନାଁରେ ଗୋଟିଏ ବି ଅଷ୍ଟ୍ରେଲିଆ ଓପନ ଓ ଓ୍ଵିମ୍ବଲଣ୍ଡନ ଟାଇଟଲ୍ ନାହିଁ। ଅଷ୍ଟ୍ରେଲିଆନ ଓପନ(୨୦୨୨)ରେ ସେ ସେମି ଫାଇନାଲ୍ ପହଞ୍ଚି ପାରି ଥିଲେ। ୨୦୨୩ରେ ଓ୍ଵିମ୍ବଲଣ୍ଡନ କ୍ଵାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ।