ବଳାଙ୍ଗ ଥାନାରେ ବିସ୍ଫୋରଣ ଘଟଣା : ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି, କହିଲେ- ତ୍ରୁଟି ଥିଲେ ନିଆଯିବ ଆକ୍ସନ

Published By : Prameya-News7 Bureau | September 28, 2021 IST

ନିମାପଡା ୨୮।୦୯: ବଳାଙ୍ଗ ଥାନାରେ ବିସ୍ଫୋରଣ ଘଟଣା । ଘଟଣାସ୍ଥଳ ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କିଭଳି ପରିସ୍ଥିତିରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା ଏବଂ କିଏ ଏହାର ଦାୟିତ୍ବରେ ଥିଲେ ତାର ଯାଞ୍ଚ ହେବ ବୋଲି ଆଇଜି କହିଛନ୍ତି ।

ସେହିପରି ଆଇଜି ବିସ୍ଫୋରଣ ଘଟଣା ନେଇ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି କୌଣସି ପ୍ରକାର ଦୋଷ ତ୍ରୁଟି ଥିବ, ତେବେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅସ୍ଥାୟୀ ଭାବେ ଏହିଠାରେ ହିଁ ଥାନା କାର୍ଯ୍ୟ  ଚାଲିବ । ନିର୍ବାଚନ ନେଇ କୌଣସି ବାଧା ସୃଷ୍ଟି ହେବ ନାହିଁ । ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଜବତ ବିସ୍ଫୋରକକୁ କାହିଁକି ନିଷ୍କ୍ରିୟ କରାଯାଇ ନଥିଲା ଏହାର ମଧ୍ୟ ତଦନ୍ତ କରାଯିବ ।

ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୩ଟା ବେଳେ ସୋମବାର ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଥାନାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । କେବଳ ଥାନା ବାହାରେ ଜଣେ କନଷ୍ଟେବଳ ଡ୍ୟୁଟି କରୁଥିଲେ । ବିସ୍ଫୋରଣରେ ଥାନାର କାନ୍ଥ ଫାଟି ଯାଇଥିଲା । ଏହାପରେ ଥାନାର ଛାତ ମଧ୍ୟ ଭୁଷୁଡି ପଡିଥିଲା । ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଥିଲେ । ଏବେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ତେବେ  ଘଟଣାରେ କେହି ଆହତ ହୋଇନଥିଲା । ଥାନାରେ ଥିବା ବିସ୍ଫୋରକ ସାମଗ୍ରୀ ଲାଗି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.