ରାହାଣେଙ୍କୁ ସନ୍ଦିପ ପାଟିଲଙ୍କ ସମାଲୋଚନା- ଯଦି କ୍ରିଜ କବଜା କରିବାକୁ ଚାହୁଁଛ ତେବେ ସିକ୍ୟୁରିଟି ଗାର୍ଡ ରଖ

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୦୪।୦୩- ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ନିକଟରେ ସଂପନ୍ନ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୦-୨ର ହ୍ଵାଇଟ୍ ହାଉସର ଶିକାର ହୋଇଛି। ଏହି ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ବ୍ୟାଟସମ୍ୟାନ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ କରିବାରୁ ଦଳ ଏମିତି ଲଜ୍ଜାଜନକ ପରାଜୟ ଭୋଗିଛି। ଭାରତର ମଧ୍ୟକ୍ରମ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ ଇନିଂସରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହି ଚାରୋଟି ଇନିଂସରେ ରାହାଣେ କେବଳ ୨୧.୫୦ ହାରରେ ୯୧ ରନ କରିଥିଲେ। ଏବେ ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦିପ ପାଟିଲ ଆଜିଙ୍କ୍ୟ ରାହାଣେଙ୍କୁ ସମାଲୋଚନା କରି କହିଛନ୍ତି ଯେ, ରାହାଣେ ମଧ୍ୟ କ୍ରମରେ ଦଳକୁ ବିପଦରୁ କାଢିବାରେ ବିଫଳ ହୋଇଛନ୍ତି।

ପାଟିଲ କହିଛନ୍ତି ଯେ, ବ୍ୟାଟସମ୍ୟାନମାନେ ବିଫଳତାକୁ ଭୟ କରି ନିଜର ସ୍ଵାଭାବିକ ଖେଳ ନଖେଳି ମନ୍ଥର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାହାଣେ ଚଳିତ ସିଜିନରେ ମୁମ୍ବାଇ ପକ୍ଷରୁ ମଧ୍ୟ ଅତି ଧିମା ବ୍ୟାଟିଂ କରୁଥିବା ଶୁଣିବାକୁ ପାଇଥିଲି। ଅତି ମନ୍ଥର ଖେଳିବା ବିଫଳତାର କାରଣ ପାଲଟିଥାଏ। ରାହାଣେ ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି। ବିଦେଶରେ ତାଙ୍କର ରେକର୍ଡ ଭଲ ରହିଛି, କିନ୍ତୁ ଏସବୁ ଇତିହାସ ପାଲଟି ଯାଇଛି। ଏବେ ସେ କେବଳ ଦଳର ଜଣେ ଟେଷ୍ଟ ଖେଳାଳି ହୋଇ ରହିଛନ୍ତି। ସେ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ଚେଷ୍ଟା କରୁ ନାହାନ୍ତି। ନିଜକୁ କେବଳ ଟେଷ୍ଟ ବିଶେଷଜ୍ଞ କରିବାକୁ ରାହାଣେ ଚେଷ୍ଟା କରୁଥିବା ପାଟିଲ କହିଛନ୍ତି।

ଯଦି ଆପଣ ଧିମା ବ୍ୟାଟିଂ କରି କ୍ରିଜ କବଜା କରି ନିଜର ଟେକ୍ନିକାଲକୁ ଠିକ୍ ବୋଲି  ଭାବୁଛନ୍ତି ଏବଂ ବିଫଳତାକୁ ଡରି ଏମିତି ଧିମା ବ୍ୟାଟିଂ କରୁଛନ୍ତି ତେବେ ତୁମେ ସିକ୍ୟୁରିଟି ଗାର୍ଡକୁ ଡାକି ଦିଅନ୍ତୁ ! ସେ ତୁମ ପାଇଁ ରନ ଲାଗି ଦୌଡିବ।

ଏହି ପୂର୍ବତନ ଡାହାଣହାତୀ ବ୍ୟାଟସମ୍ୟାନ କହିଛନ୍ତି ଯେ, ମୁଁ ରାହାଣେଙ୍କୁ ପ୍ରତ୍ୟେକ ବଲରେ ସଟ୍ ଖେଳିବାକୁ କହୁନାହିଁ। ମୁଁ ତାଙ୍କୁ ଦ୍ରୁତ ବ୍ୟାଟିଂ କରିବାକୁ କହୁନାହିଁ। ମାତ୍ର ଆପଣ ଯେବେ ରାହାଣେଙ୍କ ଟେଷ୍ଟ ରେକର୍ଡ ଦେଖିବେ ତେବେ ସଂପ୍ରତି କରୁଥିବା ବ୍ୟାଟିଂ କଦାପି ଗ୍ରହଣୀୟ ନୁହଁ। ଜଣେ ସାଧାରଣ ଖେଳାଳି ପରି ଯେପରି ମୁଁ ବିଦେଶ ମାଟିରେ ନିଜକୁ ଖାପ ଖୁଆଇ ଖେଳିଥିଲି, କିନ୍ତୁ ରାହାଣେ  ତ ଜଣେ ଚମ୍ପିଆନ ଖେଳାଳି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.