ନୂଆଦିଲ୍ଲୀ ୦୧।୧୨: ଗାଁରେ ଅପଶବ୍ଦ କହିଲେ ଜରିମାନା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏପରି ଏକ ନିୟମ ମହାରାଷ୍ଟ୍ରର ସୌନ୍ଦାଲା ଗାଁରେ ଲାଗୁ ହୋଇଛି । ଏଠାରେ ଅପଶବ୍ଦ କହୁଥିବା ଲୋକଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସରପଞ୍ଚ ଶରଦ ଅରଗଡ଼େ କହିଛନ୍ତି, ଅହିଲ୍ୟାନଗର ଜିଲ୍ଲାର ନେବାସା ତହସିଲର ଏହି ଗାଁର ଗ୍ରାମସଭାରେ ମହିଳାଙ୍କ ଆତ୍ମସମ୍ମାନ ପାଇଁ ଅଭଦ୍ର ଭାଷା ବ୍ୟବହାର ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି । ପ୍ରସ୍ତାବ ଉପସ୍ଥାପନ କରିଥିବା ଅରଗଡ଼େ କହିଛନ୍ତି, ମୁମ୍ବାଇଠୁ ହାରାହାରି ୩୦୦ କିମି ଦୂରରେ ସ୍ଥିତ ଗାଁରେ ବାର୍ତ୍ତାଳାପ, ତର୍କ-ବିତର୍କ ସମୟରେ ମା’-ଭଉଣୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର ଏକ ସାଧାରଣ କଥା ।
ଯେଉଁମାନେ ଏଭଳି ଭାଷା ପ୍ରୟୋଗ କରନ୍ତି, ସେମାନେ ନିଜ ଘରର ମହିଳା ସଦସ୍ୟଙ୍କ ଉପରେ ମଧ୍ୟ ଏହି ଭାଷା ପ୍ରୟୋଗ କରୁଛନ୍ତି । ତେଣୁ ଗାଁର ବରିଷ୍ଠ ବ୍ୟକ୍ତିମାନେ ଅପଶବ୍ଦ ପ୍ରୟୋଗ ଉପରେ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅଭଦ୍ର ଶବ୍ଦ ପ୍ରୟୋଗ କରୁଥିବା ଲୋକଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଅରଗଡ଼େ କହିଛନ୍ତି, ଆମେ ବିଧବାଙ୍କୁ ସାମାଜିକ ଓ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯୋଗ ଦେବାକୁ ପ୍ରେରିତ କରୁଛୁ ।
ଆମ ଗାଁରେ ସ୍ୱାମୀର ମୃତ୍ୟୁ ପରେ ସିନ୍ଦୂର ଲିଭାଇବା, ମଙ୍ଗଳସୂତ୍ର ଉତାରିବା ଓ ଚୂଡ଼ି ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ୨୦୦୭ ମସିହାରେ ସୌନ୍ଦାଲା ଗାଁକୁ ବିବାଦମୁକ୍ତ ଗାଁ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ମିଳିଥିଲା ।