ବିଜେପି ସହ ମେଣ୍ଟ କଲେ ହିଁ ଶିବସେନାକୁ ଫେରିବି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିନ୍ଧେଙ୍କ ସର୍ତ୍ତ

Published By : Prameya-News7 Bureau | June 21, 2022 IST

ମୁମ୍ବାଇ: ମହାରାଷ୍ଟ୍ର ସରକାରର ବରିଷ୍ଠ ନେତା ତଥା ଦିନ ଥିଲା ଉଦ୍ଧବ ଠାକରେଙ୍କ ଘନିଷ୍ଠ ଥିବା ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ଆଭିମୁଖ୍ୟ ମହାବିକାଶ ଅଘାଡି ସରକାରକୁ ଅଡୁଆରେ ପକାଇଛି । ସିନ୍ଧେ ପାଖାପାଖି ୩୦ ବିଧାୟକଙ୍କ ସହ ସୁରଟର ଏକ ହୋଟେଲରେ ଡେରା ପକାଇଛନ୍ତି । ଶିବସେନା ପକ୍ଷରୁ ମିଲିନ୍ଦ ନାର୍ଭେକର ଏବଂ ରବି ପାଠକ ସୁରଟରେ ସିନ୍ଧେଙ୍କୁ ଭେଟି ମନାଇବାକୁ ଚେଷ୍ଟା କରିଛନ୍ତି । ହେଲେ ସିନ୍ଧେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିନା ବିଜେପିରେ ସେ ଆଉ ଶିବସେନାକୁ ଫେରିବେ ନାହିଁ ।

ଗଣମାଧ୍ୟମ ଖବର ଅନୁଯାୟୀ, ନାର୍ଭେକର ସିନ୍ଧେଙ୍କୁ ଫୋନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା କରାଇଛନ୍ତି । ଏହି ସମୟରେ ସିନ୍ଧେ ସର୍ତ୍ତ ରଖିଛନ୍ତି ଯେ, ଯଦି ବିଜେପି ସହ ମେଣ୍ଟ କରିବେ ତେବେ ସେ ଦଳକୁ ଫେରିବେ । ସେ ଏହା ମଧ୍ୟ ଦାବି କରିଛନ୍ତି, ସୁରଟରେ ତାଙ୍କ ସହ ଶିବସେନାର ୩୨ ବିଧାୟକ ଅଛନ୍ତି । ଆଉ ତାଙ୍କ ସହ ୩୫ ପାର୍ଟି ବିଧାୟକ ଏବଂ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି ।

ମଙ୍ଗଳବାର ମହାରାଷ୍ଟ୍ର ସରକାର ପାଇଁ ଏକ ଅଡୁଆ ଦିନ ପାଲଟିଛି । ସିନ୍ଧେ ଏବଂ ଉଦ୍ଧବଙ୍କ ମଧ୍ୟରେ ପାଖାପାଖି ୧୫ ରୁ ୨୦ ମିନିଟ୍ ଫୋନରେ ଆଲୋଚନା ହୋଇଛି । ସେ କେବଳ ଗୋଟିଏ ସର୍ତ୍ତରରେ ଶିବସେନାକୁ ଫେରିବେ ଯଦି ଦଳ ବିଜେପି ସହ ମେଣ୍ଟ କରିବ । ସିନ୍ଧେ କହିଛନ୍ତି, ପାର୍ଟିର ଅନେକ ବିଧାୟକ ଏନସିପି ଏବଂ କଂଗ୍ରେସ ସହିତ କାମ କରିବାକୁ ପ୍ରସ୍ତୁତ ନାହାନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଠାକରେ ସିନ୍ଧେଙ୍କୁ ମୁମ୍ବାଇ ଆସି କଥା ହେବାକୁ କହିଛନ୍ତି ।

ଖାଲି ହାତରେ ଫେରିଲେ ନାର୍ଭେକର ଏବଂ ପାଠକ

ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ହେବା ପରେ ଉଦ୍ଧବଙ୍କ ପ୍ରତିନିଧି ଖାଲି ହାତରେ ମୁମ୍ବାଇ ଫେରିଛନ୍ତି । ମିଲିନ୍ଦ ନାର୍ଭେକର ଏବଂ ରବି ପାଠକଙ୍କୁ ସୁରଟ ସ୍ଥିତ ଲି ମେରେଡିୟନ ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଛି । ସିନ୍ଧେ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ସିନ୍ଧେ ଚାହାନ୍ତି ଯେ, ଶିବସେନା ଏବଂ ବିଜେପି ମିଶି ସରକାର ଗଢନ୍ତୁ । ତାଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ପ୍ରତି ବିପଦ ଘନେଇବାରେ ଲାଗିଛି । ସେପଟେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ମୁଖ୍ୟ ବିରୋଧୀ ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.