ନୂଆଦିଲ୍ଲୀ: ଏସିଆ କପ ପାଇଁ ପାକିସ୍ତାନ ଯାତ୍ରା କରିବନି ଭାରତ, ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ବୟାନ ପରେ ଏହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ଭାରତର ପୂର୍ବତନ ଖେଳାଳି ହରଭଜନ ସିଂ ଏବଂ ପାକିସ୍ତାନ ନ୍ୟୁଜ୍ ଆଙ୍କର ମଧ୍ୟରେ ଏହାକୁ ନେଇ ବାକ୍ଯୁଦ୍ଧ ହୋଇଛି । ଜୟ ଶାହ ବିସିସିଆଇ ସହ ଏସିସିର ମୁଖ୍ୟ ଅଛନ୍ତି । ପାକିସ୍ତାନ ପରିବର୍ତ୍ତେ ଏସିଆ କପକୁ ଅନ୍ୟ କୌଣସି ସ୍ଥାନରେ ଆୟୋଜନ କରିବାକୁ ବିଚାର କରାଯିବ ବୋଲି ଶାହଙ୍କ ବୟାନ ପରେ ପାକିସ୍ତାନରେ ଏହାକୁ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ବିତର୍କ କରିବା ପାଇଁ ହରଭଜନ ସିଂ ପାକିସ୍ତାନୀ ଟିଭି ଚ୍ୟାନେଲର ଗେଷ୍ଟ ହୋଇ ଯୋଡି ହୋଇଥିଲେ।
ହରଭଜନ ସିଂ କହିଥିଲେ, 'ଗତ ବର୍ଷ ରମିଜ ରାଜା ଏକ ବୟାନ ଦେଇ କହିଥିଲେ, ପାକିସ୍ତାନ କ୍ରିକେଟ ପାଖରେ ଟଙ୍କା ନାହିଁ, ଏଥିପାଇଁ ବିସିସିଆଇ ଆଡକୁ ଦେଖିବାକୁ ପଡୁଛି। ବିସିସିଆଇ ପଇସାରେ ପାକିସ୍ତାନ କ୍ରିକେଟ ଚାଲିଛି । ଯଦି ଆପଣ ଭାରତକୁ ଆସିବାକୁ ଚାହୁଁନାହାନ୍ତି ତେବେ ଦୟାକରି ଆସ ନାହିଁ । କିଏ ପଚାରୁଛି ତୁମକୁ ? ଯଦି ତୁମେ ଆଇସିସିର ଇଭେଣ୍ଟ ଖେଳିବାକୁ ଚାହୁଁନ, ତେବେ ତାହା ତୁମ ନିଷ୍ପତ୍ତି । ଯଦି ଆମ ଖେଳାଳି ସେଠାରେ ଅସୁରକ୍ଷିତ, ତେବେ ଆମେ ପଠାଇବୁ ନାହିଁ ।
ଏହି ଆଲୋଚନା ସେତେବେଳେ ଅଧିକ ଉଗ୍ର ହୋଉଥିଲା ଯେତେବେଳେ ପାକିସ୍ତାନ ଆଙ୍କର ଚ୍ୟାଲେଞ୍ଜ କରି କହିଥିଲେ,ଏସିଆ କପ ପରିବର୍ତ୍ତେ ଯଦି ଏହା ବିଶ୍ୱ ପକ ହୋଇଥାନ୍ତା ତେବେ ଭାରତ କିପରି ଆସିବନି ଆମେ ଦେଖିବୁ।
ଏହାର ଜବାବରେ ହରଭଜନ କହିଥିଲେ, 'ତୁମ ଚ୍ୟାଲେଞ୍ଜ ସ୍ୱୀକାର କରୁଛି । ଭାରତୀୟ କ୍ରିକେଟ ଜାଣିଛି କିପରି କ୍ରିକେଟ ପରିଚାଳନା କରାଯାଏ । ଆମକୁ ପିସିବିର ଆବଶ୍ୟକତା ନାହିଁ । ଆମେ ଅସୁବିଧା ଅନୁଭବ କରୁଛି ଏବଂ ତାହା ଆମେ କହୁଛି । ଯଦି ସରକାର ଅନୁମତି ଦିଅନ୍ତି ତେବେ ନିଶ୍ଚିତ ଯିବୁ'।