ଗୋଲଡେନ କିସମିସକୁ ପସନ୍ଦ କରନ୍ତି କି ? ହୋଇ ଯା’ନ୍ତୁ ସାବଧାନ, ମାରାତ୍ମକ ହୋଇପାରେ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ : ଯଦି ଆପଣ ସ୍ୱାସ୍ଥ୍ୟ ପ୍ରତି ସଜାଗ ଅଛନ୍ତି ଏବଂ ଆମେରିକୀୟ ଗୋଲଡେନ କିସମିସର ସେବନ କରନ୍ତି, ତ ସାବଧାନ ହୋଇଯା’ନ୍ତୁ। ଆମେରିକୀୟ ଖାଦ୍ୟ ଏବଂ ଔଷଧି ପ୍ରଶାସନ (ଏଫଡିଏ) ନିକଟରେ ଏହି ବିଷୟରେ ଏକ ନୋଟିସ ଜାରି କରିଛି, ଯାହା ଅନୁସାରେ ,ବଜାରରୁ ଗୋଲଡେନ କିସମିସ୍‌ର ପ୍ୟାକକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଫଡିଏ ନିଜର ନୋଟିସ୍‌ରେ କହିଛି ଯେ, ଗୋଲଡେନ କିସମିସ୍‌ର ପ୍ୟାକ୍‌ରେ ଗୋଟେ ଗୋଟେ ଏମିତି କେମିକାଲ ମିଳିଛି , ଯେଉଁଥିରେ କିସମିସକୁ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ନିର୍ଦ୍ଦେଶ ପରେ ନ୍ୟୁ ଜର୍ସିର ନିରଭାନା ଫୁଡ୍ସ ନିଜର ୨୮ ଆଉନ୍ସର ଗୋଲଡେନ କିସମିସ୍‌ର ପ୍ୟାକେଟ୍‌କୁ ବଜାରରୁ ଫେରେଇ ନେବାକୁ କହିଛି।

ଏଫଡିଏ ମୁତାବିକ ,ଏହି କିସମିସର ପ୍ୟାକେଟ୍‌ରେ ଅନେକ ସଲଫାଇଟ୍ ମିଳିଛି, ଯାହାକି ମଣିଷଙ୍କ ଠାରେ ଗୁରୁତର ଆଲର୍ଜୀ ସୃଷ୍ଟି କରିଥାଏ। ନୋଟିସ୍‌ରେ କୁହାଯାଇଛି ଯେ, ଏହି କେମିକାଲର ସେବନରେ ଜୀବନ ପ୍ରତି ବିପଦ ସାଜିପାରେ ଏବଂ ରୋଗୀଙ୍କୁ ପ୍ରାଣଘାତୀ ଏନାଫିଲେକ୍ଟିକ୍‌ର ସାମ୍ନା କରିବାକୁ ପଡ଼ି ପାରେ। ଉଲ୍ଲେଖନୀୟ ଯେ, କିସମିସର ବିଶୋଧନ ବେଳେ ଏହାର କଳାପଣ ଓ ମଇଳାକୁ ଦୂର କରିବା ପାଇଁ ସଲଫାଇଟ୍‌ର ବ୍ୟବହାର କରାଯାଏ , କିନ୍ତୁ  ଆମେରିକୀୟ ସରକାରଙ୍କ ନିୟମାନୁସାରେ ଗୋଲଡେନ କିସମିସ୍‌ର ପ୍ୟାକେଟ୍‌ ଉପରେ ଏହାର ସ୍ପଷ୍ଟ ଉଲ୍ଲେଖ କରିବା ବାଧ୍ୟତାମୂଳକ।

ଶ୍ୱାସରୋଗୀଙ୍କ ପାଇଁ କାଳ :

ଆମେରିକୀୟ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ଅନୁସାରେ , ଏହି କେମିକାଲ ଏଥିପାଇଁ ମଧ୍ୟ ଚିନ୍ତାର ବିଷୟ ସାଜିଛି, କାରଣ ଆମେରିକାରେ ପାଖାପାଖି ୬ ପ୍ରତିଶତ ବୟସ୍କ ଓ ୮ ପ୍ରତିଶତ ପିଲା ଆଲର୍ଜି ରୋଗରେ ପ୍ରଭାବିତ। ନିରୱାନା ଫୁଡ୍ସର ଯେଉଁ ଲଟ୍ସକୁ ବଜାରରୁ ପ୍ରତ୍ୟାହାର କରାଯାଇଛି, ସେଗୁଡ଼ିକ ନ୍ୟୁୟର୍କର ମହାରାଜା ସୁପର ମାର୍କେଟ୍‌ ଓ ନ୍ୟୁ ଜର୍ସି ଏବଂ ନ୍ୟୁୟର୍କର ଭିଲେଜର ଫାର୍ମର୍ସ ମାର୍କେଟ୍‌ ଷ୍ଟୋର୍ସରେ ବିକ୍ରି କରାଯାଇ ଥିଲା।

ସିଡିସି ମୁତାବିକ , ସଲଫାଇଟ୍‌ର ସେବନରେ କୌଣସି ଅସୁସ୍ଥ ଓ ସମ୍ୱେଦନଶୀଳ ବ୍ୟକ୍ତିଙ୍କର ଜୀବନ ଯାଇ ପାରେ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ଗଳାଫୁଲିବା , ନିଃଶ୍ୱାସ ନେବାରେ କଷ୍ଟ , ବ୍ଲଡ ପ୍ରେସରରେ ହଠାତ୍‌ ହ୍ରାସ ଘଟିବା ବା ବେହୋସ ଭଳି ସମସ୍ୟା ହୋଇପାରେ, ଯେଉଁଥିରେ ତୁରନ୍ତ ଚିକିତ୍ସାର ଆବଶ୍ୟକ ରହିଛି। ଆସ୍ଥମା ରୋଗୀଙ୍କ ପାଇଁ ଏହା ଖୁବ୍‌ ମାରାତ୍ମକ। ବିଳମ୍ୱ କଲେ ଜୀବନ ଯିବାର ବିପଦ ରହିଛି

କହି ରଖୁଛୁ କି, ଗୋଲଡେନ କିସମିସର ସପ୍ଲାୟର୍ସ କିସମିସକୁ ଗୋଲଡେନ ରଙ୍ଗ ଦେବା ଓ ଏହାକୁ ସଫା କରିବା ପାଇଁ ସଲଫରଡାଇଅକ୍ସାଇଡ ଓ ସଲଫାଇଟ୍‌ର ବ୍ୟବହାର କରନ୍ତି। ହେଲେ ଗାଢ ରଙ୍ଗ ପାଇଁ ଗୋଲଡେନ କିସମିସକୁ ଏହିପରି କେମିକାଲରେ ସଫେଇର ଆବଶ୍ୟକ ହୋଇ ନଥାଏ। ବଡ଼ କଥା ଏହା ଯେ, ସଲଫାଇଟ୍‌ ପ୍ରାକୃତିକ ଭାବେ ଟମାଟୋର , ପିଆଜ ଓ ମଦ ଭଳି ପଦାର୍ଥରେ ମଧ୍ୟ ମିଳିଥାଏ। ଗୋଲଡେନ କିସମିସକୁ ଭାରତରେ ସୁଲତାନା ମଧ୍ୟ କୁହାଯାଏ। ଏହା ମଞ୍ଜି ନଥିବା କିସମର ଶୁଖିଲା ସଫା ଅଙ୍ଗୁର। ଏହା ସୁନା ରଙ୍ଗର ହୋଇଥାଏ ଏବଂ ଅନ୍ୟ କିସମିସ ତୁଳନାରେ ଅଧିକ ଗାଢ , ମିଠା ଓ ରସଯୁକ୍ତ ହୋଇଥାଏ। ଏହା ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ, ଯେଉଁଥିରେ ପ୍ରୋଟିନ୍‌, ଆଇରନ ଓ ଆବଶ୍ୟକ ଭିଟାମିନ ମଧ୍ୟ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.