ସପ୍ତାହେ ଭିତରେ ବର୍ଷା ନ ହେଲେ ୧୦ ଜିଲ୍ଲାରେ ଉଜୁଡ଼ି ଯିବ ଚାଷ, ଉପୁଜିବ ଭୟଙ୍କର ସ୍ଥିତି

Published By : Prameya-News7 Bureau | July 28, 2020 IST

ଭୁବନେଶ୍ବର୨୮/୭: ଶ୍ରାବଣ ମାସରେ ଏମିତି ଶୁଖିଲା ପାଗ ଦେଖି ଚାଷୀ ମନରେ ମରୁଡ଼ି ଛନକା ପଶିଲାଣି। ରାଜ୍ୟରେ ୧୦ଟି ଜିଲ୍ଲାରେ ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି। ଏଭଳି ସ୍ଥିତି ଯଦି ଲାଗି ରହେ ତେବେ କରୋନା ମାଡ଼ଠାରୁ ବଳିଯିବ ମରୁଡ଼ି ମାଡ଼ । ଏବେ ଭରସା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ।  

ସପ୍ତାହେ ଭିତରେ ବର୍ଷା ନ ହେଲେ ଦଶ ଜିଲାରେ ଉଜୁଡ଼ି ଯିବ ଚାଷ । ବିଶେଷ କରି ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ଜିଲାରେ ଭୟଙ୍କର ହେଲାଣି ସ୍ଥିତି । ପଶ୍ଚିମ ଓଡିଶାର ସୋନପୁର ଜିଲ୍ଲା ମଧ୍ୟ ସ୍ଥିତି ସଙ୍ଗୀନ । ଆଗମୀ ସପ୍ତାହେ ଭିତରେ ଏ ସବୁ ଜିଲ୍ଲା ବର୍ଷା ନିହାତ ଆବଶ୍ୟକ କରୁଛନ୍ତି ଚାଷୀ।  ଯଦି ବର୍ଷା ନ ହୁଏ, ତେବେ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ । ପରେ ଯେତେ ବର୍ଷା ହେଲେ ବି ଧାନ ଅମଳ ଆଶାନୁରୂପ ହେବ ନାହିଁ । ଏଭଳି ଅନୁମାନ କରିଛନ୍ତି, କୃଷି ପାଣିପାଗ ବିଜ୍ଞାନୀ ଡ. ଶୁରେନ୍ଦ୍ରନାଥ ପଶୁପାଳକ । ଏଭଳି ସ୍ଥିତିରେ ଚାଷୀମାନଙ୍କ ପାଇଁ ବିକଳ୍ପ ହେଉଛି, କମ ଦିନରେ ଉତ୍ପାଦନ ହେଉଥିବା ଧାନ ପୁଣିଥରେ ବୁଣିବା କିମ୍ବା ତଳି ପକାଇବା । ଯାହାକି ଚାଷୀଙ୍କ ପାଇଁ ବ୍ୟୟବହୁଳ  ।

ଉପକୂଳ ଜିଲ୍ଲାଗୁଡିକରେ ସାଧାରଣତଃ ଲଘୁଚାପ ହିଁ ଭଲ ବର୍ଷା କରାଇଥାଏ । ତେବେ ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖା ଦର୍ଶନ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ମତରେ ମୌସୁମୀ ସହ ଜଡିତ ଟ୍ରପ ଲାଇନର ସ୍ଥିତି ହିମାଳୟ ପାଦ ଦେଶରେ ରହିଛି । ସେଥିପାଇଁ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି । ଜୁନରେ ବଙ୍ଗପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ହେଁ, ତାହା ମୌସୁମୀ ବାୟୁ ପ୍ରବାହକୁ ବଳ ଦେଇପାରିନଥିଲା।  ଫଳରେ ସାଧାରଣଠାରୁ କମ ବର୍ଷା ହେଲା ।

ସେପଟେ ଜୁଲାଇ ମାସରେ ଅତି କମରେ ୨ରୁ ୩ ଲଘୁଚାପ ବଙ୍ଗପସାଗରରେ ସୃଷ୍ଟି ହୁଏ । ହେଲେ ଏଥର ଜୁଲାଇରେ ଗୋଟେ ବି ଲଘୁଚାପ ଦେଖା ନାହିଁ । ତେବେ ଅଗଷ୍ଟ ୪ ତାରିଖ ବେଳକୁ ବଙ୍ଗପସାଗରରେ ଲଘୁଚାପ ହେବା ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ଏନେଇ ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗପସାଗରରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଆସନ୍ତା ୨୯ ରୁ ବର୍ଷା ହେବାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଘୁର୍ଣ୍ଣିବଳୟ ଯଦି ସକ୍ରିୟ ନ ହୁଏ ତାହା ହେଲେ ଲଘୁ ଚାପର ପ୍ରଭାବ ରହିବ ନାହିଁ । ସେଥିପାଇଁ ଚାରି ତାରିଖ ଲଘୁଚାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପାଣିପାଗ ବିଶେଷଜ୍ଞ ।

ପୁରୀରେ ସବୁଠାରୁ କମ ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ୪୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧାରେ ୪୩ ପ୍ରତିଶତ ଯାଜପୁରରେ ୪୨ ପ୍ରତିଶତ, କେନ୍ଦ୍ରାପଡାରେ ୪୦ ପ୍ରତିଶତ, କଟକରେ ୩୮ ପତିଶତ, ବାଲେଶ୍ବରରେ ୩୬ ପ୍ରତିଶତ, ଭଦ୍ରକରେ ୨୭ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି ପଶ୍ଚିମ ଓଡିଶାରେ ସୋନପୁର ଏକମାତ୍ର ଜିଲ୍ଲା ଯେଉଁଠି ୩୧ ପ୍ରତିଶତ କମ ବର୍ଷା ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.