'ଯଦି ବାରବାଟୀରେ କାକର ପଡୁନି, ତେବେ ଟସ୍ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ': ଭୁବନେଶ୍ୱର କୁମାର

Published By : Prameya-News7 Bureau | June 11, 2022 IST

କଟକ: ପ୍ରଥମ ମ୍ୟାଚ୍‌ର ପରାଜୟକୁ ଭୁଲି ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବୁ । ଦିଲ୍ଲୀ ମୁକାବିଲାରେ ବୋଲିଂ ସେତେଟା ପ୍ରଭାବଶାଳୀ ନଥିଲା । କିନ୍ତୁ ଆସନ୍ତାକାଲି ମୁକାବିଲାରେ ଭଲ ବୋଲିଂ କରି ସିିରିଜକୁ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ଭାରତୀୟ ଦଳର ବରିଷ୍ଠ ବୋଲର ଭୁବନେଶ୍ୱର କୁମାର । ଭାରତୀୟ ଦଳର ବାରବାଟୀ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ଅଭ୍ୟାସ ସେସନ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭୁବନେଶ୍ୱର କୁମାର । ଏଥିସହ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏଥିସହ ପିଚକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ଭୁବନେଶ୍ୱର କୁମାର ।

ଭୁବନେଶ୍ୱର କୁମାର କହିଛନ୍ତି ଯଦି ଆମେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରିବୁ ତେବେ ଦ୍ୱିତୀୟ ମ୍ୟାଚ୍ ଜିତିବାର ସମ୍ଭାବନା ରହିଛି । ଆସନ୍ତାକାଲିର ମ୍ୟାଚରେ କଣ କରିବା ଉଚିତ୍ ପ୍ରତ୍ୟେକ ଖେଳାଳିଙ୍କୁ ବେଶ୍ ଭଲ ଭାବେ ଜଣା । ଦଳରେ ନୂତନ ବୋଲର ଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ନିଜେ ଅଧିକ ଦାୟିତ୍ୱ ନେବାକୁ ଚେଷ୍ଟା କରୁଛି । ମୋର କାମ ପାୱାର ପ୍ଲେରେ ଦଳକୁ ଶୀଘ୍ର ସଫଳତା ଦେବା । ମୁଁ ଅନ୍ୟ ବୋଲରଙ୍କୁ ସାହାଯ୍ୟ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାଏ । ବିଶ୍ୱ କପ୍ ପୂର୍ବରୁ ଯେତେ ସମ୍ଭବ ନିଜ ପ୍ରଦର୍ଶନରେ ଆହୁରି ସୁଧାର ଆଣିବାକୁ ଉଦ୍ୟମ କରୁଛୁ ବୋଲି ଭୁବନେଶ୍ୱର କୁମାର କହିଛନ୍ତି ।

ଋଷଭ ପନ୍ତଙ୍କ ଅଧିନାୟକତ୍ୱ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଭୁବନେଶ୍ୱର କୁମାର କହିଛନ୍ତି ଯେ, ସେ ଏବେ ଜଣେ ଯୁବ ଅଧିନାୟକ । ଅଧିନାୟକ ହିସାବରେ ପ୍ରଥମ ମୁକାବିଲା ହାରିବା ଖେଳାଳିଙ୍କ ସହ ଏମିତି ହୋଇଥାଏ । ସମୟ ସହ ତାଙ୍କ ନେତୃତ୍ଵରେ ଆହୁରି ଉନ୍ନତ ଘଟିବ । ସାଧାରଣତଃ ବୋଲର ଭଲ ପ୍ରଦର୍ଶନ କରି ୱିକେଟ୍ ନେଲେ ଅଧିନାୟକଙ୍କ ନିଷ୍ପତ୍ତିକୁ ପ୍ରଶଂସା କରାଯାଏ । ଯଦି ବୋଲର ମହଙ୍ଗା ସାବ୍ୟସ୍ତ ହୁଅନ୍ତି ତେବେ ଅଧିନାୟକଙ୍କ ନିଷ୍ପତ୍ତିକୁ ସମସ୍ତେ ସମାଲୋଚନା କରନ୍ତି ବୋଲି ଭୁବନେଶ୍ଵର କୁମାର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ ଡେଭିଡ୍ ମିଲରଙ୍କ ପ୍ରଶଂସା କରିଛନ୍ତି ଭୁବନେଶ୍ୱର । ମିଲର ଜଣେ ଚମତ୍କାର ବ୍ୟାଟସମ୍ୟାନ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ । ଆଗାମୀ ମ୍ୟାଚରେ ତାଙ୍କୁ ଶୀଘ୍ର ଆଉଟ୍ କରିବାକୁ ଉଦ୍ୟମ କରିବୁ । ଏହି ସମୟରେ ଭୁବନେଶ୍ୱର କୁମାର ସାମ୍ବାଦିକଙ୍କୁ ବାରବାଟୀ ପିଚରେ କାକର ପଡେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯଦି ଏଠାରେ କାକର ପଡୁନି ତେବେ ଟସ୍ ସେତେଟା ମହତ୍ୱପୂର୍ଣ୍ଣ ରହିବ ନାହିଁ ବୋଲି ଏହି ଭାରତୀୟ ବୋଲର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.