ଆଗ ପରୀକ୍ଷା ପରେ ଏଣ୍ଟ୍ରି : ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ପ୍ରବେଶ ଅନୁମତି ଦେଇଛନ୍ତି ହାଇକୋର୍ଟ

Published By : Prameya-News7 Bureau | May 07, 2020 IST

କଟକ ୦୭/୦୫ : ଆଗ ଟେଷ୍ଟ, ପରେ ଏଣ୍ଟ୍ରି । ଓଡ଼ିଶାକୁ ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କର । ଏକ ଜନସ୍ବାର୍ଥ ମାମଲାର ବିଚାର କରି ଆଜି ଏଭଳି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଓଡ଼ିଶା ପ୍ରବେଶ ଅନୁମତି ମିଳିବ । ସେପଟେ ସଂଦିଗ୍ଧଙ୍କ କ୍ବାରେଣ୍ଟାଇନ୍‌ ଅବଧିକୁ ୧୪ଦିନରୁ ୨୧ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡୀ । ….

ଆଗ ପରୀକ୍ଷା ପରେ ପ୍ରବେଶ । ଓଡ଼ିଶା ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ । ନମୂନା ନେଗେଟିଭ୍‌ ଆସିଲେ ହିଁ ରାଜ୍ୟରେ ପଶିବାକୁ ମିଳିବ ଅନୁମତି । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ଏହି ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପ୍ରବାସୀମାନେ ଥିବା ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ । ରାଜ୍ୟକୁ ଫେରିଥିବା ପ୍ରବାସୀଙ୍କ ଠାରୁ ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି ।

ସେପଟେ ଆଗକୁ ବଢ଼ିପାରେ ସଂଦିଗ୍ଧଙ୍କ କ୍ବାରେଣ୍ଟାଇନ୍‌ ଅବଧି । କୋଭିଡ୍‌ -୧୯ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ କ୍ବାରେଣ୍ଟାଇନ୍‌ ଅବଧିକୁ ୧୪ଦିନରୁ ୨୧ ଦିନ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡକ୍ଟର ଶ୍ରୀନାଥ ରେଡ୍ଡୀ । ଏଥି ସହ ସାମାଜିକ ଦୂରତ୍ବ, ସାନିଟାଇଜେସନ ଓ ସମସ୍ତେ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ ସହ ଅଧିକ ସଂଖ୍ୟାରେ ଟେଷ୍ଟିଂ ଦ୍ବାରା ସଂକ୍ରମିତଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇପାରିଲେ ହିଁ ସଂକ୍ରମଣ ରୋକିବାରେ ଏହା ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀନାଥ ରେଡ୍ଡୀ ।

ରାଜ୍ୟକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରିବା ସହ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ପ୍ରଥମେ ନିଜାମୁଦ୍ଦିନ୍‌ ଫେରନ୍ତା, ଏହାପରେ ପଶ୍ଚିମବଙ୍ଗ ଫେରନ୍ତା ସଂକ୍ରମଣ ବଢ଼ାଇବାର ମୂଳକାରଣ ହୋଇଥିବା ବେଳେ ଏବେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁରତ ଫେରନ୍ତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନଜରରେ ରଖି ହାଇକୋର୍ଟ ପ୍ରବାସୀଙ୍କ ଟେଷ୍ଟ ପରେ ଓଡ଼ିଶା ଏଣ୍ଟ୍ରି ପାଇଁ ନିର୍ଦେଶ ଦେଇଛନ୍ତି । ସେପଟେ ୧୪ଦିନ କ୍ବାରେଣ୍ଟାଇନରେ ରହିବା ପରେ ମଧ୍ୟ କିଛି ଲୋକଙ୍କ ରିପୋର୍ଟ ପଜିଟିଭ୍‌ ଆସୁଥିବାରୁ କ୍ବାରେଣ୍ଟାଇନ୍‌ ଅବଧି ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ଡକ୍ଟର ଶ୍ରୀନାଥ ରେଡ୍ଡୀ । ତେବେ ଏସବୁ ପ୍ରସଙ୍ଗରେ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ହେବ ତା’ ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.