suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରୋହିତ ଶର୍ମା ଦଳକୁ ଫେରିଲେ ବାଦ୍ ପଡିବେ ଏହି ଖେଳାଳି, ଦ୍ଵିତୀୟ ଦିନିକିଆରେ ଏମିତି ହୋଇପାରେ ପ୍ଲେଇଙ୍ଗ XI

18/03/2023 at 4:21 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମାର୍ଚ୍ଚ ୧୯ ତାରିଖ ରବିବାର ଖେଳାଯିବ। ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହ ଭାରତର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ଦ୍ଵିତୀୟ ଦିନିକିଆ ଜିତି ଭାରତ ସିରିଜ୍ ବିଜୟ ଲକ୍ଷ୍ୟରେ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ଏହି ମୁକାବିଲା ବିଶାଖାପଟନମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ।

ଦ୍ଵିତୀୟ ମୁକାବିଲାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିଛି। ଭାରତୀୟ ଦଳରେ ପରିବର୍ତ୍ତନ ହେବା ନିଶ୍ଚିତ। କାରଣ ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରୁଛି। ପାରିବାରିକ କାରଣରୁ ସେ ପ୍ରଥମ ଦିନିକିଆ ଖେଳିନଥିଲେ। ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକତ୍ଵ ସମ୍ଭାଳିଥିଲେ। ରୋହିତ ଦଳକୁ ଫେରିବା ପରେ ଏହା ଦେଖିବା ରୋଚକ ହେବ ଯେ ଚୂଡାନ୍ତ ଏକାଦଶରୁ କେଉଁ ଖେଳାଳିକୁ ବାଦ୍ ଦିଆଯାଇପାରେ।

ଏ ଖବର ପଢନ୍ତୁ- ପୁଣି ଥରେ ODIରେ ଫେଲ୍ ମାରିଲେ ସୂର୍ଯ୍ୟକୁମାର ଯାଦବ, ଆଗାମୀ ୨ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ

ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିଷନଙ୍କ ମଧ୍ୟରୁ କୌଣସି ଜଣେ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ। ଏମିତିରେ ସୂର୍ଯ୍ୟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ ରହିଛି। କାରଣ ସେ ଦିନିକିଆ କ୍ରିକେଟ୍‌ରେ ଲଗାତାର ବିଫଳ ହେଉଛନ୍ତି। ଅନ୍ୟପଟେ ଇଶାନ କିଷନ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ମାହିର। ସେ କିଛି ମାସ ପୂର୍ବେ ଦିନିକିଆରେ ଦ୍ଵିଶତକ ଅର୍ଜନ କରିଥିଲେ।

ଏମିତିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରିନଥିଲେ। ସେ ପ୍ରଥମ ବଲ୍‌ରେ ହିଁ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ସେହିପରି ଓପନିଂ ବ୍ୟାଟର ଇଶାନ କିଷନଙ୍କ ପ୍ରଦର୍ଶନ ମଧ୍ୟ ନିରାଶଜନକ ରହିଥିଲା। ଇଶାନ ତିନି ରନ କରି ପାଭିଲିୟନ ଫେରିଥିଲେ।

ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରେୟସଙ୍କ ସ୍ଥାନରେ ନମ୍ବର ୪ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଲା। ହେଲେ ସେ ପ୍ରଥମ ବଲ୍‌ରେ ହିଁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦିନିକିଆ ଅନ୍ତର୍ଜାତୀୟରେ ସୂର୍ଯ୍ୟ ୨୧ ମ୍ୟାଚ୍ ଖେଳିଛନ୍ତି ଏବଂ ୧୯ ଥର ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଛନ୍ତି। ଏଥିରୁ କେବଳ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ  ହାସଲ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ବ୍ୟାଟ୍‌ରୁ ଶତକଟିଏ ମଧ୍ୟ ଦେଖିବାକୁ ମିଳିନାହିଁ। କିନ୍ତୁ ଟି-୨୦ କ୍ରିକେଟ୍‌ରେ ସେ ୩ ଶତକ ମାରି ସାରିଛନ୍ତି।

ଏହି ଡାହାଣହାତୀ ବ୍ୟାଟର ଦିନିକିଆରେ ୧୯ଟି ଇନିଂସରେ ୨୭ ହାରରେ ୪୩୩ ରନ କରିଛନ୍ତି। ଆଉ ଷ୍ଟ୍ରାଇକ୍ ରେଟ୍ ୧୦୨ ରହିଛି। ଗତ ୧୦ଟି ଦିନିକିଆ ଉପରେ ନଜର ପକାଇଲେ ସୂର୍ଯ୍ୟ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଚକିତ କର କଥା କ୍ୟାରିୟରର ପ୍ରଥମ ୬ଟି ଦିନିକିଆ ଦମଦାର ଥିଲା।

ସୂର୍ଯ୍ୟ ପ୍ରଥମ ୬ଟି ମ୍ୟାଚ୍‌ରେ ପ୍ରତ୍ୟେକ ଥର ୩୦ରୁ ଅଧିକ ରନ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ୍। ଏହା ପରଠୁ ସେ ନିରାଶ କରିଛନ୍ତି। ଯଦି ଆଗାମୀ ଦୁଇଟି ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ବ୍ୟାଟ୍ ଶାନ୍ତ ରହେ ତେବେ ଦିନିକିଆ ଦଳରୁ ସେ ବାଦ୍ ପଡି ପାରନ୍ତି। କାରଣ ଶ୍ରେୟସ ଆୟର ଦଳକୁ ଫେରି ପାରନ୍ତି, ନଚେତ୍ ସଞ୍ଜୁ ସାମସନ ତାଙ୍କ ସ୍ଥାନ ନେଇ ପାରନ୍ତି। କାରଣ ସଞ୍ଜୁ ସାମସନଙ୍କ ରେକର୍ଡ ଦିନିକିଆ ଫର୍ମାଟ୍‌ରେ ଉନ୍ନତ ରହିଛି।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

 ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ/ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର।

ଅଷ୍ଟ୍ରେଲିଆର ସମ୍ଭାବିତ ଚୂଡାନ୍ତ ଏକାଦଶ

ଡେଭିଡ୍ ଓ୍ଵାର୍ଣ୍ଣର/ଟ୍ରେଭିସ୍ ହେଡ୍, ମିଚେଲ୍ ମାର୍ଶ, ଷ୍ଟିଭେନ ସ୍ମିଥ(ଅଧିନାୟକ), ମାର୍ନସ ଲାବୁସେନ, ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସଓ୍ଵେଲ, କ୍ୟାମେରୁନ ଗ୍ରୀନ, ଜୋଶ ଇଙ୍ଗ୍ଲିସ, ସିନ୍ ଏବଟ୍, ମିଚେଲ୍ ଷ୍ଟାର୍କ, ଆଡମ ଜାମ୍ପା।

   Related Posts