କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦିଗବିଜୟ ସିଂହଙ୍କ ପ୍ରତିକ୍ରିୟା; ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରା ଯାଇପାରିବ ନାହିଁ
23/08/2022 at 6:29 PM

ନୂଆଦିଲ୍ଲୀ ୨୩/୦୮: ଯଦି ରାହୁଲ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଚାହୁଁନାହାନ୍ତି, ତାହେଲେ ତାଙ୍କୁ ବାଧ୍ୟତାମୂଳକ ଭାବେ କରାଯାଇ ପାରିବ ନାହଁ। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି ରାହୁଲ୍ ଯଦି କଂଗ୍ରେସର ଅଧ୍ୟକ୍ଷ ହେବା ପାଇଁ ଚାହୁଁନାହାନ୍ତି ତାହେଲେ ତାଙ୍କୁ ଆମେ ଏଥିପାଇଁ ଚାପ ପକାଇପାରିବା ନାହିଁ। ଏହାପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ରାହୁଲ କଂଗ୍ରସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଆବଶ୍ୟକ। ସେ କହିଛନ୍ତି ଯେ, ସାରା ଦେଶର କଂଗ୍ରେସ କର୍ମୀମାନେ ତାଙ୍କ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି। ଯଦି ସେ କଂଗ୍ରସର ଅଧ୍ୟକ୍ଷ ପଦ ସମ୍ଭାଳିବେ ତାହେଲେ ସମସ୍ତ କଂଗ୍ରେସ କର୍ମୀ ଖୁସି ହେବେ।
ସୂଚନାଥାଉକି, ସେପ୍ଟେମ୍ୱର ୨୦ ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ହେବାର ଅଛି। କିନ୍ତୁ ଏବେ ସୁଦ୍ଧା ବି ଅଧ୍ୟକ୍ଷ ନିର୍ବାଚନକୁ ନେଇ କୌଣସି ତାରିଖ ଘୋଷଣା କରାଯାଇନାହଁ। ରାହୁଲ୍ ଗାନ୍ଧୀ ଏହି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ନେଇ କୌଣସି ସଙ୍କେତ ମିଳିନାହିଁ। ଅନ୍ୟପଟେ ୨୦୧୯ ରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଏହି ପଦ ପାଇଁ ମନା କରିଦେଇଛନ୍ତି। କଂଗ୍ରେସ ସୂତ୍ରରୁ କୁହାଯାଇଛି ଯେ, ଏହି ପଦବୀ ପାଇଁ ରାହୁଲଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ପୁଣିଥରେ ସେ ଅସ୍ୱୀକାର କରିଛନ୍ତି।
ଦିଗବିଜୟ ସିଂହ ଏନଡି ଟିଭି ସହିତ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ସମସ୍ତେ ଜାଣିଛନ୍ତି, ରାହୁଲ ଲଗାତାର ଅଧ୍ୟକ୍ଷ ହୁଅନ୍ତୁ ବୋଲି କଂଗ୍ରେସ କର୍ମୀମାନେ ଅପିଲ୍ କରୁଛନ୍ତି। ଏହା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଜଣଙ୍କୁ ଆପଣ ଜବରଦସ୍ତି କିପରି କରିପାରିବେ?