ପୁରୁଣା କଂଗ୍ରେସ ଚାହୁଁଛନ୍ତି ତ ଖଡଗେଙ୍କୁ ଭୋଟ୍ ଦିଅନ୍ତୁ, ପରିବର୍ତ୍ତନ ପାଇଁ ମୋତେ ଚୟନ କରନ୍ତୁ: ଥରୁର

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ଯଦି ପୁରୁଣା କଂଗ୍ରେସ ଚାହାନ୍ତି ତେବେ ଖଗଡେଙ୍କୁ ଭୋଟ୍ ଦିଅନ୍ତୁ ଏବଂ ଯଦି ପରିବର୍ତ୍ତନ ଚାହାନ୍ତି ତେବେ ମୋତେ ଚୟନ କରନ୍ତୁ। ଏମିତି ଚକିତ କରିବା ପରି ଟିପ୍ପଣୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଏବେ  ମଇଦାନରେ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ଅଛନ୍ତି। ଉଭୟ ଗତକାଲି ନିଜ ନିଜର ପ୍ରାର୍ଥୀ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି।

ଥରୁର ଶନିବାର ଜୋର ଦେଇ କହିଛନ୍ତି, ପାର୍ଟିର ବରିଷ୍ଠ ସହଯୋଗୀ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ତାଙ୍କର କୌଣସି ଲଢେଇ ନାହିଁ। ପାର୍ଟି ନେତାଙ୍କୁ ନିଜ ସନ୍ଦେଶରେ ସେ କହିଛନ୍ତି, ଯଦି ପୁରୁଣା କଂଗ୍ରେସ ଚାହାନ୍ତି ତେବେ ଖଗଡେଙ୍କୁ ଭୋଟ୍ ଦିଅନ୍ତୁ ଏବଂ ଯଦି ପରିବର୍ତ୍ତନ ଚାହାନ୍ତି ତେବେ ମୋ ସହିତ ଛିଡା ହୁଅନ୍ତୁ। ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ପରେ ଗେହଲଟ୍‌ ଦୌଡରୁ ବାଦ୍ ପଡିବା ପରେ ମୁକାବିଲା ଥରୁର ବନାମ ଖଡଗେରେ ପରିଣତ ହୋଇଛି।

ଶନିବାର ସମାଚାର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ଥରୁର କହିଛନ୍ତି, ଏହା କୌଣସି ଲଢେଇ ନୁହେଁ। ଆମ ବିଚାରରେ ଭିନ୍ନତା ଥାଇପାରେ। ଏଥିପାଇଁ ପାର୍ଟିର ସଦସ୍ୟଙ୍କୁ ନିଷ୍ପତ୍ତି ନେବାକୁ ଦିଆଯାଉଛି। ମୁଁ ସଦସ୍ୟମାନଙ୍କୁ କେବଳ ଏତିକି କହୁଛି ଯଦି ଆପଣ ପାର୍ଟିର କାର୍ଯ୍ୟରେ ସନ୍ତୁଷ୍ଟ ତେବେ ଦୟାକରି ଖଡଗେଙ୍କୁ ଭୋଟ୍ ଦିଅନ୍ତୁ। ଯଦି ଆପଣ ପରିବର୍ତ୍ତନ ଚାହାନ୍ତି ଏବଂ ପାର୍ଟିରେ ନୂତନ ଶୈଳୀରେ କାମ କରିବାକୁ ଚାହାନ୍ତି ତେବେ ମୋତେ ଚୟନ କରନ୍ତୁ।

ଥରୁରଙ୍କ ଏହି ଟିପ୍ପଣୀ ୮୦ ବର୍ଷୀୟ ଗାନ୍ଧୀ ପରିବାରର ସମର୍ଥନକୁ ନେଇ ଆଲୋଚନା ସମୟରେ ଆସିଛି। ଏହା ପୂର୍ବରୁ ଖଡଗେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଘଟଣା କ୍ରମରୁ ସ୍ପଷ୍ଟ ହୋଇଛି ଯେ, ତାଙ୍କର କଂଗ୍ରେସ ଅଧ୍ୟକ୍ଷ ହେବା ନିଶ୍ଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.