ନେହରୁ ସାଙ୍ଗିଆ ବ୍ୟବହାର କରିବାକୁ ପରିବାରକୁ କାହିଁକି ଲାଜ ଲାଗୁଛି ? ଗାନ୍ଧୀ ପରିବାରକୁ ମୋଦୀଙ୍କ ଟାର୍ଗେଟ୍
9/02/2023 at 6:59 PM

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଗାନ୍ଧୀ ପରିବାରକୁ ନେଇ ସମାଲୋଚନା କରିଛନ୍ତି। ନେହରୁ ସାଙ୍ଗିଆ ବ୍ୟବହାର କରିବାକୁ ଗାନ୍ଧୀ ପରିବାର ଏତେ ଲଜ୍ଜିତ କାହିଁକି ମନେ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଯୋଜନାର ନାମକରଣକୁ ନେଇ କଂଗ୍ରେସ ଆପତ୍ତି ଉଠାଉଛି। ଯୋଜନାରେ କେତେଗୁଡ଼ିଏ ସଂସ୍କୃତ ଶବ୍ଦ ରହିଛି ବୋଲି ସେଥିରେ ବି କିଛି ଲୋକଙ୍କୁ ସମସ୍ୟା ହେଉଛି ବୋଲି ମୋଦୀ କହିଛନ୍ତି। ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖିଲା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ନାଁକୁ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିଛନ୍ତି ମୋଦୀ।
ସେ କହିଛନ୍ତି “ମୁଁ ଖବରକାଗଜରେ ଏକ ରିପୋର୍ଟ ପଢ଼ିଥିଲି। ଯେଉଁଥିରେ ଲେଖାଯାଇଛି ଯେ ୬୦୦ ସରକାରୀ ଯୋଜନା କେବଳ ଗାନ୍ଧୀ ଓ ନେହେରୁ ପରିବାର ନାଁରେ ରହିଛି। ଯଦି ଆମେ କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାଁ ଦେଲୁ ନାହିଁ ତେବେ କିଛି ଲୋକଙ୍କର ଲହୁ ଗରମ ହୋଇଯାଏ। କିନ୍ତୁ ମୁଁ ବୁଝିପାରେନା ଯେ ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସାଙ୍ଗିଆ ରଖିବାକୁ କାହିଁକି ଡରନ୍ତି? ଏଥିରେ ଲଜ୍ଜିତ ହେବାର କଣ ରହିଛି? ଏତେବଡ଼ ବ୍ୟକ୍ତିତ୍ୱ ଯଦି ପରିବାରକୁ ମଞ୍ଜୁର ନୁହେଁ ତେବେ ଆମର ହିସାବ ମାଗୁଛ।”
ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ମୋଦୀ ଆହୁରି କହିଛନ୍ତି ” କିଛି ଲୋକଙ୍କୁ ବୁଝିବାକୁ ପଡ଼ିବ ଯେ ଏହି ଦେଶ ପିଢ଼ି ପିଢ଼ିର ପରମ୍ପରାର ଦେଶ। ଏ ଦେଶ କେଉଁ ପରିବାରର ଜାଗିର ନୁହେଁ।” ଏହାପରେ ବିଭିନ୍ନ ମହାପୁରୁଷଙ୍କ ନାଁରେ କରାଯାଇଥିବା ନାମକରଣର ହିସାବ ଦେଇଛନ୍ତି ମୋଦୀ।
ସେ କହିଛନ୍ତି ଯେ ଆମେ ମେଜର ଧ୍ୟାନଚାନ୍ଦଙ୍କ ନାଁରେ ଖେଳ ରତ୍ନ ପୁରସ୍କାରର ନାମକରଣ କରିଥିଲୁ। ସେହିପରି ଆଣ୍ଡାମାନ ଦ୍ୱୀପର ନାଁ ନେତାଜୀଙ୍କ ନାଁରେ ନାମକରଣ କରିଛୁ ବୋଲି ମୋଦୀ କହିଛନ୍ତି।