ଇମ୍ରାନ ଖାନ୍ ଦେଶ ପାଇଁ ବିପଦ, ସେ ଥିଲେ ପାକିସ୍ତାନର ସତ୍ତା ନଥାନ୍ତା: ପୂର୍ବତନ ସେନା ମୁଖ୍ୟ ବାଜୱା
10/02/2023 at 6:38 PM

ଇସ୍ଲାମାବାଦ: ଯଦି ଇମ୍ରାନ ଖାନ୍ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ରହିଥାନ୍ତେ ତେବେ ପାକିସ୍ତାନ ବୋଲି କିଛି ନଥାନ୍ତା। ଏହା ଧ୍ୱଂସ ହୋଇସାରନ୍ତାଣି। ଇମ୍ରାନ୍ଙ୍କ ତେହରୀକ-ଇ ଇନ୍ସ୍ଫା(ପିଟିଆଇ) ପାର୍ଟି ଦେଶ ପାଇଁ ଏକ ବିପଦ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ୍ ବାଜୱା। ପାକିସ୍ତାନ ଟୁଡେରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।
ସାମ୍ବାଦିକ ଜାଭେଦ ଚୌଧୁରୀଙ୍କୁ ଏକ ସାକ୍ଷାତ୍କାର ଦେଇ ବାଜୱା ଏପରି କହିଛନ୍ତି। ସେ କହିଛନ୍ତି ଯେ କ୍ୟାବିନେଟ୍ ବୈଠକ ସମୟରେ ଇମ୍ରାନ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ପଞ୍ଜାବୀର ଅସଭ୍ୟ ଭାଷାରେ ସମ୍ବୋଧନ କରୁଥିଲେ। ଇମ୍ରାନଙ୍କର ଏଭଳି ଆଚରଣ ବିଷୟରେ ଖୋଦ୍ ତାଙ୍କ ସରକାରରେ ଥିବା ଜଣେ ମନ୍ତ୍ରୀ ସାଉଦି ରାଷ୍ଟ୍ରଦୂତଙ୍କୁ କହି ଦେଇଥିଲେ। ହେଲେ ସେ ମନ୍ତ୍ରୀ କିଏ ଥିଲେ ତାଙ୍କ ନାଁ ଖୁଲାସା କରି ନାହାନ୍ତି ବାଜୱା।
ଏହାପରେ ଇମ୍ରାନ ସରକାର ପତ୍ତନରେ ବାଜୱାଙ୍କ ହାତ ରହିଛି କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ ଜାଭେଦ ଚୌଧୁରୀ। ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ବାଜୱା। ଇମ୍ରାନ ସରକାର ପତ୍ତନରେ ତାଙ୍କର କୌଣସି ହାତ ନାହିଁ। ତେବେ ସେ ତାଙ୍କ ସରକାର ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ ବୋଲି ବାଜୱା କହିଥିଲେ। ବାଜୱାଙ୍କ ଉତ୍ତର ଶୁଣି ଶ୍ରୀ ଚୌଧୁରୀ ତାଙ୍କୁ କାହିଁକି ପିଟିଆଇ ସରକାର ବଞ୍ଚାଇବାକୁ ଚେଷ୍ଟା କଲେ ନାହିଁ ବୋଲି ପୁଣିଥରେ ପ୍ରଶ୍ନ କରିଥିଲେ।
ଏହାର ଉତ୍ତର ରଖି ବାଜୱା କହିଥିଲେ ” ଇମ୍ରାନ ନିଜ ସ୍ୱାର୍ଥ ପାଇଁ କାମ କରୁଥିଲେ। ଆଉ ମୁଁ ତାଙ୍କୁ ସମର୍ଥନ ଦେଇଥିଲେ ସମ୍ମାନର ସହ ଅବସର ନେଇଥାନ୍ତି। ହେଲେ ତା ବଦଳରେ ଦେଶର ଭଲ ପାଇଁ ମୁଁ ନିଜର ପଦବୀ ତ୍ୟାଗ କରିବା ଉଚିତ୍ ମନେ କଲି।”