ସୁଯୋଗ ମିଳିଲେ ନିର୍ବାଚନ ଲଢିବି, କଣ ଭିଆରଏସ ନେଇ ରାଜନୀତିକୁ ଓହ୍ଲାଇବା ପାପ
23/09/2020 at 10:58 PM

ନୂଆଦିଲ୍ଲୀ ୨୩।୦୯: ଗୁପ୍ତେଶ୍ଵର ପାଣ୍ଡେ ଗୋଟିଏ ଦିନ ପୂର୍ବେ ମଙ୍ଗଳବାର ବିହାରର ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ପଦରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ଭିଆରଏସ ନେବାର ଗୋଟିଏ ଦିନ ପରେ ବୁଧବାର ଫେସବୁକ ଲାଇଭରେ ସେ କହିଛନ୍ତି ସୁଯୋଗ ମିଳିଲେ ନିର୍ବାଚନ ଲଢିବି। ମୁଁ ଜଣେ ସ୍ଵାଧୀନ ନାଗରିକ। ନିଶ୍ଚିତ ଭାବେ ନିର୍ବାଚନକୁ ଓହ୍ଲାଇବି। ମୁଁ କାହାକୁ ଡରି ବସିବାର ଲୋକ ନୁହେଁ।
ବିହାର ସରକାରର ପୋଲିସ ମହାନିର୍ଦ୍ଦେଶକ ଓ ଭାରତୀୟ ପୋଲିସ ସେବା(ଆଇପିଏସ)ର ୧୯୮୭ ବ୍ୟାଚର ଅଫିସର ଗୁପ୍ତେଶ୍ଵର ପାଣ୍ଡେ ଏହା ପୂର୍ବରୁ ଭିଆରଏସ ଆବେଦନ କରିଥିଲେ, ଯାହାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଗୁପ୍ତେଶ୍ଵର ପାଣ୍ଡେଙ୍କୁ ଗତ ବର୍ଷ ବିହାରର ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା। ଗୁପ୍ତେଶ୍ଵରଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ଅବସର ନେବାର ଥିଲା।
ଭିଆରଏସ ନେବାର ଗୋଟିଏ ଦିନ ପରେ ପୂର୍ବତନ ଡିଜିପି ପାଣ୍ଡେ ନିଜର ଫେସବୁକ ଲାଇଭରେ ନିର୍ବାଚନ ଲଢିବା ସମ୍ଭାବନା ବିଷୟରେ କହିଛନ୍ତି ଯେ, କଣ ନିର୍ବାଚନ ଲଢିବା ପାପ। ଭିଆରଏସ ନେଇ ନିର୍ବାଚନ ଲଢିବା ପାପ କି। କଣ ମୁଁ ପ୍ରଥମ ଥର ଏମିତି କରୁଛି।
ସେ କହିଛନ୍ତି କିଛି ଲୋକ ମୋର ଭିଆରଏସକୁ ସୁଶାନ୍ତ ସିଂହ ରାଜପୁତ କେସ୍ରେ ଯୋଡି ଦେଖୁଛନ୍ତି। କଣ ସୁଶାନ୍ତ ସିଂହ କେସ୍ରେ ମୁଁ ଭୁଲ କରିଛି। ତେବେ ମୋତେ ଫାଶିରେ ଝୁଲାଇ ଦିଆଯାଉ। ସୁଶାନ୍ତ ବିହାରର ପୁଅ ଥିଲା। ମୋର ଭିଆରଏସକୁ ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ କଣ ପାଇଁ ଯୋଡି କି ଦେଖାଯାଉଛି।